ମୋହନା, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି । ଦୁଇ ଭାଇଙ୍କ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଠେଙ୍ଗା ଓ କାଠଫାଳିଆ ମାଡ଼ରେ ଉଭୟ ପରିବାର ଲହୁଲୁହାଣ । ଶେଷରେ ବଳି ପଡ଼ିଲେ ଦାଦା । ପୁତୁରାର ଠେଙ୍ଗା ମାଡ଼ରେ ଗୁରୁତର ଦାଦାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମାହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ବୁରୁପଦା ଗାଁରେ । ମୃତକ ହେଲେ ରଘୁନାଥ ନାୟକ (୫୦) । ମୋହନା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ ୧୪ ତାରିଖ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗାଁର ଦୁଇ ଭାଇ ରଘୁନାଥ ଓ ନାଥ ନାୟକଙ୍କ ପରିବାର ମଧ୍ୟରେ ଗଣ୍ଡଗାଳ ହୋଇଥିଲା । ଗତ ଦେଢ଼ ବର୍ଷ ତଳେ ନାଥଙ୍କ ଝିଅ ଗଞ୍ଜାମ ଜିଲ୍ଲା ପାତ୍ରପୁର ଅଞ୍ଚଳର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ । ଏହାକୁ ନେଇ ଗାଁରେ ବୈଠକ ହେବା ସହ ନାଥଙ୍କ ପରିବାର ଓ ତାଙ୍କ ଭାଇ ରଘୁନାଥଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଗୁରୁବାର ଏହା ଉଗ୍ରରୂପ ନେଇଥିଲା । ଉଭୟ ପରିବାର କାଠ ଫାଳିଆ ଓ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ରଘୁନାଥଙ୍କ ସମେତ ତାଙ୍କ ପୁଅ ବିଟୁ ଓ ସୁରେଶ ଆହତ ହୋଇଥିଲେ । ନାଥଙ୍କ ପୁଅ ଗଣେଶ ଓ ବାବୁଲା ମଧ୍ୟ ଆହତ ହୋଇଥିଲେ । ପୁତୁରା ଗଣେଶଙ୍କ ଠେଙ୍ଗା ମାଡ଼ରେ ଦାଦା ରଘୁନାଥ ଗୁରୁତର ହୋଇଥିଲେ । ଗୁରୁବାର ତାଙ୍କୁ ଚନ୍ଦ୍ରଗିରି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିିତ ରାତିରେ ରଘୁନାଥଙ୍କ ମୃତ୍ୟୁ ଘଟିଛ । ଏହି ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ମୋହନା ଥାନାରେ ଏତଲା ଦେଇଛନ୍ତି । ପୁଲିସ ପୃଥକ ମାମଲା ରୁଜୁ କରିବା ସହ ଉଭୟ ପରିବାରର ୪ ଜଣକୁ ଅଟକ ରଖି ପଚରାଉଚରା କରାଯାଉଥିବା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ କହିଛନ୍ତି ।






