କଟକରୋଡ, (ବାଘୁଆବାର୍ତ୍ତା): ବାଇକ୍ ଲୁଟ୍ ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କ ସମେତ ଚୋରି ଗାଡ଼ି କିଣିଥିବା ୩ ଗ୍ୟାରେଜ ମାଲିକଙ୍କୁ ବଡ଼ଗଡ଼ ଥାନା ପୁଲିସ ଗୁରୁବାର ଗିରଫ କରିଛି । ୫ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଦାନଗହୀର ନୁରନଗର ଗ୍ରାମର ମହମଦ ମୁଶାରଫ ଓରଫ ସନିଆ, ତାଳବଣିଆ ସାହିର ମହମଦ ଫିରାସତ ଅଲ୍ଲୀ ଓରଫ ଇଲୁ, ଜୟପୁର ଶାସନର ସେକ୍ ସୌକତ, ପିପିଲି ଏନଏଏସି ମାର୍କେଟରେ ଥିବା ହନିଫ ୱେଲଡିଙ୍ଗ ସେଣ୍ଟର ମାଲିକ ସେକ୍ ଅବଦୁଲ ହନିଫ୍ ଓରଫ ଧଡିଆ ଓ ସୁଲତାନନଗର ସରିଆପୁରରେ ରହୁଥିବା ମହମ୍ମଦ ସଫିକ୍ ଓରଫ ପାପା । ପୁଲିସ ସୁଚନା ଅନୁଯାୟୀ, ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ୱର କୋର୍ଟର ଆଇନଜୀବୀ ବିଜୟ କୁମାର ଦାସଙ୍କ ବାଇକ୍ କୋର୍ଟ ପରିସରରୁ ଚୋରି ହୋଇଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗତ ବୁଧବାର ଅପରାହ୍ନରେ ସନିଆ ଏବଂ ପିଲୁ ଏକ ନମ୍ବର ବିହୀନ ବାଇକ୍ରେ ଆସି କୋର୍ଟ ପରିସରରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ କୋର୍ଟ ସିସି କ୍ୟାମେରାରେ ସେମାନଙ୍କ ଉପସ୍ଥିତି ଜଣା ପଡ଼ିଥିଲା । ଖବରପାଇ ସ୍ଥାନୀୟ ପୁଲିସ ଉଭୟଙ୍କୁ ଥାନାକୁ ନେବା ପରେ ସେମାନେ ବ୍ୟବହାର କରୁଥିବା ବାଇକ୍ ଚୋରା ବୋଲି ଜାଣିବାକୁ ପାଇଥିଲା । ଅନ୍ୟପକ୍ଷରେ ଏମାନେ ଏକାଧିକ ବାଇକ୍ ଚୋରିରେ ସାମିଲ ଥିବା ମାନିଥିଲେ । ଏମାନେ ସବୁବେଳେ ଚୋରା ବାଇକ୍ ଧରି ବୁଲୁଥିଲେ । ସୁବିଧା ଦେଖି ଅନ୍ୟ ବାଇକ୍ ଚୋରି କରି ଆଣୁଥିଲେ । ଏଥିସହିତ କ୍ୟାପିଟାଲ୍ ଥାନା ଅଧୀନ ୟୁନିଟ୍-୧, ୟୁନିଟ୍-୨ ଓ ଭୁବନେଶ୍ୱର କୋର୍ଟ ପରିସରରୁ ଅଭିଯୁକ୍ତ ଅନେକ ବାଇକ୍ ଚୋରି କରିଥିବା ଓ ସେଗୁଡିକ ପିପିଲି ଅଞ୍ଚଳରର ୩ ଗ୍ୟାରେଜ୍ ମାଲିକଙ୍କୁ ବିକିଥିବା ସ୍ୱୀକାର କରିଥିଲେ । ଏହି ଆଧାରରେ ଜୋନ୍-୪ ଏସିପି ରଜତ କୁମାର ରାୟ, ବଡ଼ଗଡ଼ ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ଓ ମାମଲାର ତଦନ୍ତକାରୀ ଅଧିକାରୀ ସୁବ୍ରତ ଦାସଙ୍କ ସହ କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବୁଧବାର ରାତିରେ ପିପିଲିର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦାନଗହୀର ଅଞ୍ଚଳରୁ ଆଉ ୨୧ ବାଇକ୍ ଜବତ କରିଥିଲେ ।ସନିଆଙ୍କ ନାମରେ ପିପିଲି ଥାନାରେ ଏକ ମାମଲା ଥିବା ବେଳେ ବଡଗଡ, କ୍ୟାପିଟାଲ, ଶ୍ରୀଲିଙ୍ଗରାଜ ଓ ବାଲିପାଟଣା ଥାନାରେ ଏମାନଙ୍କ ନାମରେ ପୂର୍ବରୁ ମାମଲା ରହିଛି । ସନିଆ ଓ ପିଲୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ୱେଲଡିଙ୍ଗ ସେଣ୍ଟରରେ ବଦଳୁଥିଲା ଚେସିସ୍, ଇଞ୍ଜିନ୍ ନମ୍ବର – ସନିଆ ଓ ପିଲୁ ବାଇକ୍ ଚୋରି କରିବା ପରେ ପିପିଲି ଏନଏଏସି ମାର୍କେଟରେ ଗିରଫ ଧଡିଆଙ୍କ ୱେଲଡିଙ୍ଗ ସେଣ୍ଟରକୁ ନେଉଥିଲେ । ସେଠାରେ ଗାଡ଼ିର ଇଞ୍ଜିନ, ଚେସିସ୍ ନମ୍ବର ବଦଳାଉଥିଲେ । ପରେ ଏହାକୁ ଗିରଫ ହୋଇଥିବା ଅନ୍ୟ ୨ ଗ୍ୟାରେଜ ମାଲିକଙ୍କୁ ଅଢେଇରୁ ତିନି ହଜାର ଟଙ୍କାରେ ବିକୁଥିଲେ । ଗ୍ୟାରେଜ ମାଲିକ ବାଇକରୁ ଅନେକ ଯନ୍ତ୍ରାଂଶ ଖୋଲି ବିକିଦେବା ଫଳରେ ଚୋରି ଗାଡି ସହଜରେ ଠାବ ହେବା କଷ୍ଟକର ହେଉଥିଲା ବୋଲି ଗୁରୁବାର ବଡ଼ଗଡ଼ ଥାନାରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଏସିପି ରାୟ ସୂଚନା ଦେଇଛନ୍ତି । ୨ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁଲିସ – ଭୁବନେଶ୍ୱର ଅନ୍ୟ ଥାନା ଅଞ୍ଚଳରୁ ଚୋରି ଯାଇଥିବା ଗାଡ଼ି ବାବଦରେ ଜାଣିବା ପାଇଁ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବା ପାଇଁ ଯୋଜନା ରହିଛି । ଖୁବ୍ଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ଚୋରି ବାଇକ୍ ଜବତ ପରେ ଥାନା ପରିସରରେ ୭ ଗାଡ଼ି ମାଲିକଙ୍କୁ ବାଇକ ଜିମାନାମା ଦିଆ ଯାଇଥିଲା । ଯେଉଁଥିରେ କମିଶନରେଟ ପୁଲିସ ଜୋନ-୧ ଏସିପି ମାନସ ରଞ୍ଜନ ଗଡ଼ନାୟକ ଉପସ୍ଥିତ ଥିଲେ ।






