ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରେଲୱେରେ ଚାକିରି ଦେବାର ଲୋଭ ଦେଖାଇ ୧୦ ଜଣ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛି ଠକ । ନିଜକୁ ରେଲୱେର ଜଣେ ବଡ଼ ଅଧିକାରୀର ପରିଚୟ ଦେଇ ଆଶାୟୀଙ୍କ ପିଛା ୨୦ ହଜାର ନେଇ ରେଳ ସଦନ କାର୍ୟ୍ୟାଳୟରୁ କେଉଁଆଡେ ଫେରାର ହୋଇଯାଇଛି । ଏନେଇ ଠକେଇର ଶିକାର ହୋଇଥିବା ମହିଳା ପୁରୁଷ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଦିପୁ ନାମକ ଜଣେ ବ୍ୟକ୍ତି ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୦ ଜଣ ଚାକିରି ଆଶାୟୀଙ୍କୁ ଧରି ଆଜି ମଧ୍ୟାହ୍ନରେ ରେଳ ସଦନ କାର୍ୟ୍ୟାଳୟରେ ପହଞ୍ଚିଥିଲା । ଚାକିରି ପାଇବାକୁ ହେଲେ ଜଣ ପିଛା ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲା । ଏହି ଟଙ୍କାରେ ୟୁନିଫର୍ମ କିଣା ହେବ ବୋଲି କହିକି ନେଇଥିଲା । ୧୦ ଜଣଙ୍କୁ ରେଳ କାର୍ୟ୍ୟାଳୟ ବାହାରେ ଛିଡ଼ା କରି କହିଥିଲା ତୁମେମାନେ ବାହାରେ ଥାଅ ମୁଁ ଭିତରକୁ ଯାଇ କଥାବାର୍ତ୍ତା ହୋଇ ଫାଇନାଲ କରିକି ଆସୁଛି । ସମସ୍ତେ ବାହାରେ ଛିଡା ହୋଇ ଦିପୁକୁ ଅପେକ୍ଷା କରିଥିଲେ । କିନ୍ତୁ ଦୀର୍ଘ ସମୟ ଯାଏଁ ଅପେକ୍ଷା କରିଥିଲେ ବି ଦିପୁର କୌଣସି ପତ୍ତା ମିଳିନଥିଲା । ଦିପୁ ଫୋନକୁ କଲ କରିବା ପରେ ସୁଇଚ୍ ଅଫ୍ ଆସିଥିଲା । ସମସ୍ତେ ଭିତରକୁ ଯାଇ ଦେଖନ୍ତି ତ’ ଦିପୁ ସେଠାରେ ନାହିଁ । ସେଠାରେ ଥିବା କର୍ମଚାରୀଙ୍କୁ ପଚରାଉଚରା ପରେ ମଧ୍ୟ ଦିପୁର କୌଣସି ପତ୍ତା ମିଳିନଥିଲା । ଠକେଇ ହୋଇଥିବା ଜାଣି ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।





