ଢେଙ୍କାନାଳ, (ବାଘୁଆବାର୍ତ୍ତା): ପାଞ୍ଚ ଦିନ ହେବ ଖୋଜି ପାଉନଥିଲେ ପରିବାର । ଆଉ ପାଇଲା ବେଳକୁ ମିଳିଲା ହରିଆର ମୃତଦେହ । ଢେ଼ଙ୍କାନାଳ ଜିଲ୍ଲା ତୁମୁସଙ୍ଗା ଥାନା ଅନ୍ତର୍ଗତ କନ୍ତି ଓ ପୁଟସାହି ଗାଁର ତଅଁଳା ସାହିର ହରିଆ ବେହେରା ନାମକ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ହରିଆକୁ ହତ୍ୟା କରିଯାଇଥିବା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ସେହି ଗାଁର କଳ୍ପତରୁ ବେହେରାଙ୍କ ପୁଅ ହରିଆ ବେହେରା ଗତ ୭ ତାରିଖ ଠାରୁ ନିଖୋଜ ଥିଲେ। ଏ ସମ୍ପର୍କର ପରିବାର ଲୋକେ ୮ ତାରିଖରେ ନିଖୋଜ ହେବାର ତୁମୁସିଂଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ନିଖୋଜ ହରିଆର ମୃତଦେହ ଘରଠାରୁ ଅଳ୍ପ ଦୂରରେ ଥିବା ସାଗୁଆନ ବଗିଚାରେ ଗୋଟିଏ ଗଛରେ ଝୁଲୁନ୍ତା ଅବସ୍ଥାରେ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ମୃତ୍ୟୁ ଦୁଇ ବା ତିନି ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିବା ବେଳେ ସମ୍ପର୍କୀୟଙ୍କ ଅଭିଯୋଗ ଏହାକୁ ଅଧିକ ଦୃଢୀଭୂତ କରୁଛି। ଗ୍ରାମର ଜୈନିକ ଯୁବକଙ୍କ ସହ ମୃତ ଯୁବକ କାମ କରୁଥିବା ବେଳେ ନିଖୋଜ ଦିନ ମଧ୍ୟ ତାଙ୍କ ସହ ବାଇକ ଯୋଗେ ଯାଇ ଆଉ ଫେରିନଥିଲେ । ତେଣୁ ପରିବାର ଲୋକେ ସିଧାସଳଖ ଉକ୍ତ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ଓ କାମାକ୍ଷାନଗର ଏସଡିପିଓ ପହଁଞ୍ଚି ତଦନ୍ତ ଚଳାଇବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଚଳଇଛି। ପୋଲିସ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।






