ଦେବଗଡ, (ବାଘୁଆବାର୍ତ୍ତା): ଦେବଗଡ ଜିଲ୍ଲା ପୋଲିସ ଏକ ଗଞ୍ଜେଇ ବେପାର ରାକେଟର ପର୍ଦ୍ଦାଫାସ କରି ତିନି ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ସହ କାର, ବାଇକ, ମାଉଜର ଓ ଗୁଳି ଜବତ କରିଛି। ବୌଦ୍ଧ ଜିଲ୍ଲା ଅଞ୍ଚଳର କିଛି ଗଞ୍ଜେଇ ବେପାରୀ ରିଆମାଳ ଦେଇ ସମ୍ବଲପୁର ଜିଲ୍ଲା ଅଞ୍ଚଳକୁ ଗଞ୍ଜେଇ ନେଉଥିବା ଖବର ମିଳିଥିଲା। ଖବରପାଇ ରିଆମାଳ ଥାନା ପୋଲିସ ଗୋହିରା ଡ୍ୟାମ ନିକଟରେ ଗଞ୍ଜେଇ ନେଉଥିବା ଗୋଟିଏ କାର ଓ ମଟରସାଇକେଲକୁ ଅଟକାଇ ଥିଲେ । ରିଆମାଳ ପୋଲିସ ବାଇକରେ ଥିବା ଦୁଇଜଣଙ୍କୁ ଧରିଥିବା ବେଳେ କାର ଚଳାଉଥିବା ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ପରେ ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ଵରେ ପୋଲିସ ଦଳ ଫେରାର ମାରୁଥିବା କାର ଚାଳକଙ୍କୁ ଦେଓଝରଣ ଜଳପ୍ରପାତ ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲେ । କାରଚାଳକ ପୋଲିସ ଉପରକୁ ମାଉଜରରୁ ଏକ ରାଉଣ୍ଡ ଗୁଳି ଚଳାଇଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ । ମଟରସାଇକଲ ଓ କାର ମଧ୍ୟରୁ ପୋଲିସ ଏକ କୁଇଣ୍ଟାଲ ପଚିଶ କେଜି ଗଞ୍ଜେଇ ଜବତ କରିଛନ୍ତି । ପୋଲିସ ଗିରଫ ବ୍ୟକ୍ତିଙ୍କ ପାଖରୁ ଗୋଟିଏ ମାଉଜର, ସାତ ରାଉଣ୍ଡ ଜୀବନ୍ତ ଗୁଳି , ଗୋଟିଏ ହୁଣ୍ଡାଇ ଆଇ ୨୦ କାର, ଗୋଟିଏ ବାଇକ, ମୋବାଇଲ ଜବତ କରିଛନ୍ତି । ଏନେଇ ରିଆମାଳ ଥାନାରେ ଗୋଟିଏ ଓ ଦେବଗଡ ଆଦର୍ଶ ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମ ର ବିକାଶ ରାଜହଂସ ଓ ପୌଲସ୍ତୀ ଜଗଦଲା ଏବଂ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳର ରୁପେଶ ପ୍ରସାଦ କୁ ଗିରଫ କରିଛି । ଏହି ଗଞ୍ଜେଇ ଚାଲାଣ ରାକେଟ ପଛରେ କାହାର ହାତ ରହିଛି ସେ ନେଇ ପୋଲିସ ତଦନ୍ତ କରୁଛନ୍ତି । ଦେବଗଡ ଏସପି ରାଜକିଶୋର ପାଇକରାୟ ଦେବଗଡ ଆଦର୍ଶ ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ।






