ବାଲିପାଟଣା, (ବାଘୁଆବାର୍ତ୍ତା): ସୁନା ଅଳଙ୍କାର ସଫେଇ ଆଳରେ ମହିଳାମାନଙ୍କ ଠାରୁ ଲୁଟ୍ କରୁଥିଲେ । ଗ୍ରାମବାସୀ ଏହା ଜାଣିପାରି ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିବା ସହ ନିର୍ଦ୍ଦୁମ ଛେଚିଛନ୍ତି । ବାଲିପାଟଣା ଥାନା ଭଅଁରାଗଡ ଗ୍ରାମରେ ଦୁଇ ଜଣ ବ୍ୟକ୍ତି ଆଜି ଦିନ ପ୍ରାୟ ୧୦ଟାରେ ପହଞ୍ଚି ନୟନା ପାତ୍ର ଏବଂ ଅନ୍ୟ ମହିଳାମାନଙ୍କର ସୁନା ଅଳଙ୍କାର ସଫା କରିବା ପାଇଁ କହିଥିଲେ । ସଫା କରିବା ବାହାନାରେ ସୁନା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଉଥିଲେ । ପରେ ମହିଳାମାନେ ଏହା ଜାଣିପାରି ଗ୍ରାମବାସୀଙ୍କୁ ଜଣାଇଥିଲେ । ଦୁଇ ଦୁର୍ବୃତ୍ତ ଫେରାର ହେବା ବେଳେ ଭଅଁରାଗଡ ନଦୀ ବନ୍ଧରେ ଗ୍ରାମବାସୀମାନେ ଉଭୟଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ବାଲିପାଟଣା ପୋଲିସ ଏମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ କରୁଛି । ଏମାନଙ୍କ ବାଇକକୁ ମଧ୍ୟ ଜବତ କରିଛି ପୋଲିସ । ଦୁଇ ଦୁର୍ବୃତ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମର ପ୍ରଶାନ୍ତ ସାହୁ ଏବଂ ନିତ୍ୟାନନ୍ଦ ସାହୁ । ବାଲିପାଟଣା ଥାନା ଅଂଚଳରେ ଗତ କିଛି ମାସ ପୂର୍ବରୁ ଅଭିନବ ଭାବେ ସୁନା ଅଳଙ୍କାର ଲୁଟ୍ ହୋଇଥିଲା ।






