ଭବାନୀପାଟଣା, (ବାଘୁଆବାର୍ତ୍ତା): କଳାହାଣ୍ଡି ଟାଉନ ପୁଲିସ ହାବୁଡ଼ରେ ପଡିଲେ ଲାପଟପ ଚୋର ଗ୍ୟାଙ୍ଗର ଦୁଇ ଜଣ ଚୋର। ସେମାନଙ୍କ ଠାରୁ ବିଭିନ୍ନ ସମୟରେ ଚୋରି ହୋଇଥିବା ୪ଟି ଲାପଟପ ଜବତ ହୋଇଛି। ସେମାନେ ଲାପଟପ ବ୍ୟାଗ ଥିବା ବସଯାତ୍ରୀଙ୍କ ପିଛା କରୁଥିଲେ। ଲାପଟପ୍ ବ୍ୟାଗ୍ ନେଇଥିବା ଯାତ୍ରୀ ଯେତେବେଳେ ଶୋଇପଡୁଥିଲେ ସେମାନେ ଲାପଟପ୍ ଚୋରି କରି ବସରୁ ଓହ୍ଲାଇ ଫେରାର ମାରୁଥିଲେ ବୋଲି କଳାହାଣ୍ଡି ଏସପି ଡ଼ା. ଶ୍ରବଣ ବିବେକ ଏମ ପ୍ରେସ ବିବୃତିରେ ଜଣାଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ରିମ ସହିତ ଦୁଇଟି ବ୍ରିଜ ଷ୍ଟୋନ ଟାୟାର, ଦୁଇଟି ଡେଲ ଲାପଟପ, ଗୋଟିଏ ଲେନୋଭୋ ଲାପଟପ ଏବଂ ଗୋଟିଏ ଏଚପି ଲାପଟପ ଜବତ କରାଯାଇଛି। ଗିରଫ ଦ୍ବୟ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିର୍ଲିଗୁଡା ଗାଁର ଇନ୍ଦ୍ରଜିତ ଟାଣ୍ଡି(୨୨) ଓ କୃଷ୍ଣ ତାଣ୍ଡି(୨୦) ବୋଲି ଜଣାଯାଇଛି। ସେମାନେ ଚୋରି କରୁଥିବା ସାମଗ୍ରୀକୁ ରାୟପୁରର ଦେବେନ୍ଦ୍ରନଗର ଅଂଚଳର ଏମଡି ସିଦ୍ଧିକ ଓରଫ (ଭୋଳଭାଇ)କୁ ବିକ୍ରି କରିଥିଲେ। ତିନି ଅଭିଯୁକ୍ତକୁ ମଙ୍ଗଳବାର ଟାଉନ ଥାନା ଅଧିକାରୀ ପ୍ରଦୀପ ଧରୁଆ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏସଂକ୍ରାନ୍ତରେ ଟାଉନ ଥାନାରେ ଗତ ଫେବୃଆରୀ, ଜୁନ ଓ ଜୁଲାଇ ମାସରେ ତିନୋଟି ପୃଥକ ମାମଲା ରୁଜୁ ହୋଇଛି।






