ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ସେକ୍ଟର-୩ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳାଙ୍କ ସହ ଦୁଇ ପୁରୁଷ । ଗତ ୨୩ ତାରିଖରେ ସେକ୍ଟର-୨ କ୍ବାର୍ଟର ଏଚ/୨୫୬ରୁ ସୁନା ଗହଣା, ଟିଭି, ମୋବାଇଲ, ବାଇକ୍ ସହ ଦାମୀ ଲୁଗା ପଟା ଚୋରି ହୋଇଥିବାର ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ମିଲନ ଦାସ । ଲିଖିତ ଅଭିଯୋଗକୁ ଭିତ୍ତିକରି ସେକ୍ଟର-୩ ପୋଲିସ ତଦନ୍ତ କରି ସୋମବାର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ସୁନା ଚେନ୍, ୨ଟି ସୁନା କାନଫୁଲ, ୪ଟି ମୋବାଇଲ, ଗୋଟିଏ ଦାମୀ ବାଇକ୍, ଦାମୀ ଲୁଗା ସହ ବାସନ କୁସନ ଜବତ କରିଛି ଯାହାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ଗିରଫ ୪ ଜଣ ହେଲେ ରାଉରକେଲା ଫାର୍ଟିଳାଇଜାର ଅଞ୍ଚଳର ଅମରେନ୍ଦ୍ର ଦାସ, ଦୀନବନ୍ଧୁ ପାଟଶାଣୀ, ନଳିନୀ ପାଟଶାଣୀ ଏବଂ ମୟୁରଭଞ୍ଜ କରଞ୍ଜିଆର ଜଣେ ମହିଳା ବିଷ୍ଣୁ ପ୍ରିୟା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ରାଉରକେଲା ସେକ୍ଟର-୩ ପୋଲିସ ।






