ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଅଭାବନୀୟ ଘଟଣା। ଘରେ କେହି ନଥିବା ବେଳେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମୈତ୍ରୀ ବିହାର ଫାଣ୍ଡି ପୋଲିସ । ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ବାପା-ମା’ ଦୁଇ ଜଣ କାମକୁ ଯାଇଥିଲେ । ତେବେ ସନ୍ଧ୍ୟା ବେଳେ ଘରକୁ ଫେରିବା ସମୟରେ ଅଜବେଷ୍ଟରେ ଲାଗିଥିବା ଲୁହା ପାଇପରେ ଝିଅକୁ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ ଘରର ମୁଖ୍ୟ କବାଟ ଖୋଲାଥିବା ବେଳେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।






