ରାଉରକେଲା, (ବାଘୁଆବାର୍ତ୍ତା): ଓକିନାୱା ସ୍କୁଟର ଶୋ’ରୁମ୍ର ଆଜବେଷ୍ଟସ୍ ଭାଙ୍ଗି ଚୋରି କଲେ ଦୁର୍ବୃତ୍ତ। ୧୪୩ ନଂ.ଜାତୀୟ ରାଜପଥର କାରମେଲ ସ୍କୁଲ ନିକଟରେ ଥିବା ସ୍କୁଟର ଶୋ’ରୁମ୍ରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି । ମାତ୍ର ଚୋରମାନଙ୍କ ସମ୍ପର୍କରେ କିଛି ଟେର୍ ପାଇନଥିବା ଜଣାପଡ଼ିଛି । ଜାତୀୟ ରାଜପଥ କଡ଼ରେ ଭିବ୍ରାଣ୍ଟ ଅଟୋମୋବାଇଲ ରହିଛି । ସବୁଦିନ ଭଳି ଗତକାଲି ଶୋ’ରୁମ୍ର କର୍ମଚାରୀଙ୍କ ସମେତ ମାଲିକ ଶୋ’ରୁମ ବନ୍ଦ କରି ଘରକୁ ଯାଇଥିଲେ । ମାତ୍ର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଶୋ’ରୁମ୍ର ଆଜବେଷ୍ଟସ୍ ଛାତ ଭାଙ୍ଗି ଭିତରକୁ ପଶିଥିଲା । ଶୋ’ରୁମ୍ର କ୍ୟାସ୍ ଡ୍ରରେ ଥିବା ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ଚମ୍ପଟ ମାରିଥିଲା । ସକାଳେ କର୍ମଚାରୀମାନେ ଶୋ’ରୁମ୍ ଖୋଲିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ତୁରନ୍ତ ମାଲିକଙ୍କୁ ସୂଚନା ଦେଇଥିଲେ । ସେ ଶୋ’ରୁମ୍ରେ ପହଞ୍ଚିଫବା ପରେ ଜାଣିବାକୁ ପାଇଥିଲେ ଯେ, ଦୁର୍ବୃତ୍ତମାନେ କ୍ୟାସ୍ ଡ୍ରରୁ ନଗଦ ୬୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ସେ ସ୍ଥାନୀୟ ଜଲଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।






