ବଡବିଲ, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲା ବଡ଼ବିଲ ମେନ୍ ରୋଡରେ ଥିବା ଓଡ଼ିଶା ହାର୍ଡୱେର ଷ୍ଟୋର ଉପରକୁ ଆଜି ମଧ୍ୟାହ୍ନ ସମୟରେ କେହି ଦୃବୃର୍ତ୍ତ ବୋମା ମାଡ଼କରି ଫେରାର୍ ହୋଇଯାଇଛି । ଏହି ବୋମା ମାଡ଼ ବେଳେ ଦୋକାନ ମାଲିକ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନର ମଧ୍ୟ କୌଣସି କ୍ଷୟ କ୍ଷତି ହୋଇନାହିଁ । ସୂଚନା ପାଇ ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ବୋମା ଫୁଟିବା ସମୟର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ, କିଏ ଏହି ବୋମା ମାଡ଼ କରିଛି ତାହା ଜଣାପଡିନାହିଁ । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ଦୃବୃର୍ତ୍ତଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି ପୋଲିସ । ଅନ୍ୟପକ୍ଷେ ଦୋକାନ ମାଲିକଙ୍କ କହିବା କଥା ଯେ ଆଗରୁ କାହାଠାରୁ କିଛି ଧମକ ମିଲିନାହିଁ କିମ୍ବା କାହା ସହିତ କୌଣସି ଶତ୍ରୁତା ନାହିଁ। ଏମିତିରେ ବୋମାମାଡ଼ ପଛର କାରଣ ଅସ୍ପଷ୍ଟ ରହିଛି । ତେବେ ହୁଏତ କେହି ଦୁବୃର୍ତ୍ତ ନିଜର ଫାଇଦା ପାଇଁ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରିପାରିଥାଏ ବୋଲି ସନ୍ଦେହ କରାଯାଉଛି । ସ୍ପଷ୍ଟ ଦିବାଲୋକରେ ବୋମା ମାଡ଼ କରି ଦୃବୃର୍ତ୍ତ ଫେରାର୍ ହୋଇଯିବା ପୋଲିସକୁ ଚାଲେଞ୍ଜ ହୋଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।






