ନିଶ୍ଚିନ୍ତକୋଇଲି, (ବାଘୁଆବାର୍ତ୍ତା): ମାଆ-ଝିଅଙ୍କୁ ସଙ୍ଘବଦ୍ଧ ଆକ୍ରମଣ। କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଗୋପାଳପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ଓ ସ୍ଵାମୀଙ୍କ ସହଯୋଗୀ ସଙ୍ଘବଦ୍ଧ ଆକ୍ରମଣ କରି ଘରଦ୍ଵାର ଭାଙ୍ଗି ଦେଇଛନ୍ତି। ଏପରିକି ମହିଳାଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ ମାରିବା ସହ ଗାଳିଗୁଲଜ କରିଛନ୍ତି ତାଙ୍କ ସ୍ଵାମୀ। ଫଳରେ ନ୍ୟାୟ ଦାବିରେ ମାହାଙ୍ଗା ଥାନାର ଦ୍ଵାରସ୍ଥ ହୋଇଛନ୍ତି ମହିଳା। ସୂଚନାନୁଯାୟୀ, ଗୋପାଳପୁର ଅଞ୍ଚଳ ଆୟୁବ ଖାଁ’ ନିଜ ପତ୍ନୀ ସଫିନା ବିବିକୁ ଘରୁ ବାହାର କରି ଅନ୍ୟତ୍ର ବିବାହ କରିଥିଲା। ସଫିନା ବିବି ଝିଅ ଆୟେଶା ଓ ନାବାଳକ ପୁଅକୁ ଧରି ଗାଁ’ ମୁଣ୍ଡରେ ପୃଥକ ଭାବେ ଘରକରି ସେଠାରେ ପିଲାମାନଙ୍କୁ ନେଇ ଚଳୁଥିଲା। ଗତକାଲି ସଫିନା ଓ ତା’ର ଝିଅ ଓ ଝିଅର ୮ ମାସର ଶିଶୁ ପୁତ୍ର ସହ ଟିକା ନେବାକୁ ମେଡିକାଲ ଯାଇଥିବା ସମୟରେ ଆୟୁବ ଖାଁ’ ଓ ତା’ର ସହଯୋଗୀମାନେ ସଫିନା ରହୁଥିବା ଘରକୁ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନେଇ ମାଆ ଓ ଝିଅ ସ୍ଥାନୀୟ ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ସଫିନାର ପରିବାରକୁ ମାଡ ଗାଳି ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସେ ନ୍ୟାୟ ପାଇଁ ମାହାଙ୍ଗା ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଏହା ପରେ ଆଜି ସକାଳେ ଆୟୁବ୍ ଖାଁ ନିଜର ସହଯୋଗୀଙ୍କ ସହ ସଫିନା ବିବିଙ୍କ ଘରକୁ ଆସି ସଫିନା ଓ ତାଙ୍କ ଝିଅ ସହିତ ୮ ମାସର ଶିଶୁକୁ ମରଣାନ୍ତକ ଆକ୍ରମଣ କରିଥିଲା । କେବଳ ସଫିନା କିମ୍ବା ତା’ର ଝିଅ ଆୟେସାକୁ ମାଡ ହୋଇଛି ସେକଥା ନୁହେଁ, ଆୟେସାର ଛୋଟ ପିଲାକୁ ମଧ୍ୟ ନିଶାସକ୍ତ ଆୟୁବ ଖାଁ’ ପଦାକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ସଫିନା ବିବିଙ୍କ ସହ ଝିଅ ଓ ଶିଶୁ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ପରେ ପୋଲିସ ଆୟୁବ ଖାଁକୁ ଅଟକ ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।






