ଜଙ୍କିଆ/ରଣପୁର, (ବାଘୁଆବାର୍ତ୍ତା): ଗ୍ୟାରେଜ୍ ମାଲିକ ଓ କର୍ମଚାରୀ ଏକାଠି ବାଇକ୍ରେ ବୁଲି ଯାଇଥିଲେ । ଅଧା ବାଟରେ ବାଇକ୍ରୁ ପେଟ୍ରୋଲ୍ ସରିଗଲା । ବାଇକ୍ରେ ପେଟ୍ରୋଲ୍ ପକାଇବାକୁ କର୍ମଚାରୀଙ୍କୁ କହିଲେ । କିନ୍ତୁ କର୍ମଚାରୀ ତେଲ ନ ପକାଇବାରୁ ମାଲିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଏକ ପଥରରେ ଛେଚି କର୍ମଚାରୀଙ୍କୁ ହତ୍ୟା କଲା । ଧରାପଡ଼ିଯିବା ଭୟରେ ହତ୍ୟାକୁ ଦୁର୍ଘଟଣାର ରୂପ ଦେଉଥିଲା । କିନ୍ତୁ ଶେଷରେ ସବୁକଥା ଜଣାପଡ଼ିବା ପରେ ଗିରଫ ହେଲା ଗ୍ୟାରେଜ୍ ମାଲିକ । ରଣପୁରର ଜନୈକ ଯୁବକଙ୍କ ମୃତଦେହ ୧୬ନଂ. ଜାତୀୟ ରାଜପଥର ଜଙ୍କିଆ ନିକଟରୁ ଉଦ୍ଧାର ହୋଇଛି । ପରିବାର ଲୋକେ ଏନେଇ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି । ହତ୍ୟା ସନ୍ଦେହରେ ଗ୍ୟାରେଜ ମାଲିକ ରାଜେଶ ପାଣ୍ଡି(୩୦)କୁ ପୁଲିସ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ତେବେ ରାଜେଶ ସାମାନ୍ୟ କଥାରେ ସୌମ୍ୟରଞ୍ଜନ ସାମନ୍ତରାୟ (୧୮)ଙ୍କୁ ପଥରରେ ଛେଚି ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ରଣପୁର ବ୍ଲକର ବଜ୍ରକୋଟ ପଞ୍ଚାୟତ ଅନ୍ତର୍ଗତ ଭେରୁପଡ଼ା ଗ୍ରାମର ପ୍ରଭାକର ସାମନ୍ତରାୟଙ୍କ ପୁଅ ସୌମ୍ୟରଞ୍ଜନ ରଣପୁର ବଜାରରେ ଥିବା ଏକ ଗ୍ୟାରେଜରେ କାର୍ୟ୍ୟ କରୁଥିଲେ । ସୌମ୍ୟ ପ୍ରତିଦିନ କାର୍ୟ୍ୟ ସାରି ଗ୍ରାମକୁ ଫେରି ଯାଉଥିଲେ । ତେବେ ଗତରାତିରେ ସେ ଗ୍ରାମକୁ ଫେରିନଥିଲେ । ପରିବାର ଲୋକମାନେ ମୋବାଇଲକୁ ଯୋଗାଯୋଗ କରି ବିଫଳ ହୋଇଥିଲେ । ଶୁକ୍ରବାର ସକାଳୁ ସୌମ୍ୟଙ୍କ ମୃତଦେହ ଜଙ୍କିଆ ଖେଳପଡ଼ିଆ ନିକଟରେ ପଡିଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ପରିବାର ଲୋକ କରିଥିବା ଅଭିଯୋଗ ଅନୁଯାୟୀ, ସୌମ୍ୟ ଗୁରୁବାର ଘରକୁ ନଯାଇ ରାତିରେ ଭୋଜି ହେବାର ଅଛି । ତେଣୁ ଶୁକ୍ରବାର ଘରକୁ ଯିବ ବୋଲି ଜଣାଇ ରଣପୁରରେ ରହିଯାଇଥିଲେ । କିନ୍ତୁ ଭୋରୁ ତାଙ୍କ ମୃତଦେହ ଜଙ୍କିଆ ଖେଳ ପଡ଼ିଆ ନିକଟରେ ପଡ଼ିଥିବାର ପରିବାର ଲୋକ ଜାଣିବାକୁ ପାଇଥିଲେ । ପରେ ଜଙ୍କିଆ ଥାନାକୁ ଆସି ଥାନା ଆଗରେ ବସି ସମ୍ପୃକ୍ତ ଗ୍ୟାରେଜ ମାଲିକ ରାଜେଶକୁ ଗିରଫ କରି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ରାଜେଶ କୁଆଡ଼େ ତାଙ୍କ ପୁଅକୁ ହତ୍ୟାକରି ଜାତୀୟ ରାଜପଥ ଉପରେ ଦୁର୍ଘଟଣାର ରୂପ ଦେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସୌମ୍ୟଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲା । ପାରିପାଶ୍ୱିର୍କ ଘଟଣାକୁ ଦେଖି ପୁଲିସ ହତ୍ୟା ସନ୍ଦେହ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ବାଇକ(ନଂ ଓଡ଼ି ୦୨ ଏଏ ୮୭୯୧)କୁ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଙ୍କିଆ ଥାନାରେ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ଜଙ୍କିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଅଟକ ରାଜେଶକୁ ପଚରାଉଚରା କରିଛନ୍ତି । ସେମାନେ ରଣପୁରରୁ ଜଙ୍କିଆ ରାସ୍ତାରେ ଆସି ରାମେଶ୍ୱର ଛକରୁ ଟାଙ୍ଗୀ ବୁଲିଥିଲେ । ୧୬ନଂ ଜାତୀୟ ରାଜପଥ ରାମେଶ୍ୱର ଛକଠାରୁ କିଛି ଦୂରରେ ସେ ଆଣିଥିବା ବାଇକରୁ ପେଟ୍ରୋଲ ସରିଯିବାରୁ ଗାଡ଼ି ନେଇ ତେଲ ପକାଇବାକୁ ରାଜେଶ ତାଙ୍କୁ କହିଥିଲା । କିନ୍ତୁ ସେ ମୋବାଇଲରେ ଗେମ୍ ଖେଳି ତେଲ ପକାଇ ଆସିବାକୁ କହିବାରୁ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ସୌମ୍ୟରଞ୍ଜନଙ୍କ ମୁଣ୍ଡ ପଛ ପାଖକୁ ଶକ୍ତ ଆଘାତ ଦେଇଥିଲା । ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିବାରୁ ସେ ତାଙ୍କୁ ଏକ ଗାମୁଛାରେ ନିଜ ଶରୀରରେ ବାନ୍ଧି ଚିକିତ୍ସା କରିବାକୁ ଭୁବନେଶ୍ୱର ନେଉଥିଲା । କିନ୍ତୁ ଜଙ୍କିଆ ଖେଳ ପଡ଼ିଆ ନିକଟରେ ସକାଳ ହୋଇଯିବା ଓ ବାଇକରୁ ସୌମ୍ୟରଞ୍ଜନ ଖସି ପଡ଼ିବା ଫଳରେ ସେ ଦୁର୍ଘଟଣାର ରୂପ ଦେଇଥିଲା ବୋଲି ପୁଲିସ କହିଛି ।






