ବରଗଡ଼, (ବାଘୁଆବାର୍ତ୍ତା): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରାଏସଲପଦର ଗ୍ରାମରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଚାରି ଜଣଙ୍କ ହାତରେ ଦଉଡି ବାନ୍ଧି ଗାଁ ଦାଣ୍ଡରେ ବୁଲାଗଲା । ସେତିକିରେ ମନ ବୁଝିନଥିଲା ପରେ ଖୁଣ୍ଟରେ ବନ୍ଧା ଯାଇ ଅପମାନିତ କରାଯାଇଛି । ଏହି ଚାରି ଜଣ ପାଣି ମୋଟର (ପମ୍ପ) ଚୋରି କରିଥିଲେ ବୋଲି ଗାଁ ଲୋକ ଅଭିଯୋଗ କରି ଏହି କଙ୍ଗାରୁ କୋର୍ଟ କରିଛନ୍ତି । ପୋଲିସ ଉପରେ ଭରସା ନହେବାରୁ ଲୋକେ ଏପରି କରିଥିବା କୁହାଯାଉଛି । ସବୁକିଛି ସରିବା ପରେ ସେମାନେ ଗାଇସିଲେଟ ପୋଲିସକୁ ଖବର କରିଥିଲେ । ପରେ ଚୋରଙ୍କୁ ପୋଲିସ ହାତରେ ଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗାଇସିଲେଟ ଓ ପଦ୍ମପୁର ଅଞ୍ଚଳର ଏହି ଭିଡିଓ । ଗାଇସିଲେଟ ପୋଲିସର କହିବା ମୁତାବକ ସେମାଙ୍କ ଠାରୁ କିଛି ଚୋରି ସାମଗ୍ର ମଧ୍ୟ ଜବତ ହୋଇଛି । ହେଲେ ଏପରି ଗାଁ ଦାଣ୍ଡରେ ଦଣ୍ଡିତ କରିବା ପ୍ରଥାରୁ କେବେ ମୁକ୍ତ ହେବ ଆମ ସମାଜ ତାହା ଚିନ୍ତାର ବିଷୟ ପାଲଟିଛି ।






