ଛେଣ୍ଡିପଦା, (ବାଘୁଆବାର୍ତ୍ତା): ଛେଣ୍ଡିପଦା ଥାନା କୋଶଳା ସାପ୍ତାହିକ ହାଟରୁ ମୋବାଇଲ ଚୋରି କରୁଥିବା ବେଳେ ଧରା ପଡ଼ି ଦୁଇ ଦୁର୍ବୃତ୍ତ ବେଶ ହଟହଟା ହୋଇଛନ୍ତି । ସ୍ଥାନୀୟ ଲୋକ ଜଣକୁ କାବୁ କରି ଉତ୍ତମ ମଧ୍ୟମ ଦେବା ପରେ ପୁଲିସ ଜିମାରେ ଛାଡ଼ିଛନ୍ତି । ଅନ୍ୟ ଦୁର୍ବୃତ୍ତ ମଟର ସାଇକେଲ୍ରେ ଖସି ପଳାଇ ଥିବା ଜଣାପଡ଼ିଛି। ପ୍ରକାଶ ଯେ, କୋଶଳା ଗ୍ରାମରେ ଗୁରୁବାର ସାପ୍ତାହିକ ହାଟ ଚାଲିଥିବା ବେଳେ ନିକଟସ୍ଥ ଝିଣ୍ଟିପାଳ ଗ୍ରାମର ବାବାଜୀ ପ୍ରଧାନ ହାଟରୁ ପରିବା କିଣୁଥିଲେ । ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପକେଟରୁ ମୋବାଇଲ ଫୋନ୍ ଟାଣି ନେଇ ଖସି ଯାଇଥିଲେ । ବାବାଜୀ ପାଟି କରିବାରୁ ସ୍ଥାନୀୟ ଲୋକ ଜଣକୁ କାବୁ କରି ନେଇଥିଲେ । ତାକୁ ଛେଣ୍ଡିପଦା ପୁଲିସ ଜିମା ଦିଆଯାଇଥିବା ବେଳେ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି ।






