ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କୁମ୍ଭୀରଗାଡ଼ିଆ ଗାଁରେ ଅଭାବନୀୟ ଘଟଣା । ସ୍ଥାନୀୟ ବାଲିଦୁମା ନାଳରେ ବୁଡି ଜଣେ ଯୁବକ ମୃତ। ଗାଈ ପାଇଁ ଘାସ ଆଣି ଫେରିବା ବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନ ମୁତାବକ, ଦାନଗଦି ବ୍ଲକ କୁମ୍ଭୀରଗାଡ଼ିଆ ଗାଁର ସ୍ୱର୍ଗତ ଶ୍ରୀଧର ସାମଲଙ୍କ ୨୯ ବର୍ଷୀୟ ପୁଅ ରାଜକିଶୋର ସାମଲ ଗାଈ ପାଇଁ ଘାସ ଆଣି ଫେରିବା ସମୟରେ କୌଣସି କାରଣରୁ ନାଳରେ ବୁଡି ଯାଇଥିଲେ । ଅନେକ ସମୟ ବିତିଯାଇଥିଲେ ମଧ୍ୟ ପୁଅ ଘରକୁ ଫେରିନଥିବା ବେଳେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେରେ ତାଙ୍କ ମା ଖୋଜାଖୋଜି କରିଥିଲେ। ତେବେ ବହୁତ ଖୋଜାଖୋଜି ପରେ ଏକ ନାଳରେ ଘାସ ଭାସୁ ଥିବାର ଦେଖି ସେଠାରେ ରାଜେଶ ବୁଡିଯାଇଥିବା ସନ୍ଦେହ କରିଥିଲେ ଲୋକେ। ଏହାପରେ ନାଳ ଭିତରୁ ରାଜକିଶୋରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଗ୍ରାମବାସୀ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।






