କଳାହାଣ୍ଡି, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗରେ କାର୍ୟ୍ୟରତ ଓଭରସିଅର ଧନୁଞ୍ଜୟ ଧୋବା ଡ୍ୟୁଟିକୁ ଯାଇ ନିଖୋଜ । ସପ୍ତାହକ ପରେ ବି ମିଳୁ ନି ସୁରାକ । ଆଶା ଓ ଆଶଙ୍କାରେ ନିଖୋଜ ଧନୁଞ୍ଜୟଙ୍କ ପରିବାର । କଳାହାଣ୍ଡି ପୋଲିସ ତନାଘନା ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଓଭରସିଅର ଧୁନୁଞ୍ଜୟ ଧୋବା ଗତ ୨୨ ତାରିଖ ଦିନ ସ୍କୁଟି ଯୋଗେ ଭବାନୀପାଟଣାରୁ ଥୁଆମୂଳ-ରାମପୁର ସ୍ଥିତ ନିଜ ଅଫିସ୍ କୁ ବାହାରି ଯାଇଥିଲେ । କିନ୍ତୁ ସେ ଅଫିସ୍ ନଯାଇ ନିଖୋଜ ରହିଛନ୍ତି । ଶେଷଥର ପାଇଁ ତାଙ୍କୁ ଅଫିସର ଜଣେ କର୍ମଚାରୀ ସ୍ଵରୁପ ସିଂ ଶଗଡାଠାରେ ଦେଖିଥିଲେ । ହେଲେ ନିଖୋଜର ୪ ଦିନ ପରେ ଅର୍ଥାତ ୨୬ ତାରିଖରେ ଅଫିସ୍ କର୍ତ୍ତୃପକ୍ଷ ଗୁଣପୁର ଫାଣ୍ଡିରେ ନିଖୋଜ ନେଇ ଏତଲା ଦେଇଛନ୍ତି । ନିଖୋଜ ଧୁନୁଞ୍ଜୟଙ୍କ ପରିବାର ରାୟଗଡାଠାରେ ରହୁଛନ୍ତି । ତେବେ ଧୁନୁଞ୍ଜୟଙ୍କ ନିଖୋଜ ନେଇ ପୋଲିସକୁ ଏତଲା ଦେବା ସତ୍ତ୍ବେ ଅଫିସ୍ କର୍ତ୍ତୃପକ୍ଷ ପରିବାରକୁ କୌଣସି ସୂଚନା ଦେଇନଥିବା ଅଭିଯୋଗ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କ ନିଖୋଜ ଏତଲା ପରେ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ।






