ମାଲକାନଗିରି, (ବାଘୁଆବାର୍ତ୍ତା): ଭାଲୁ ମାରିବା ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ବାମୀ ଗୁରୁତର ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଶିଖାଲି ପଞ୍ଚାୟତରେ । ସୂଚନାଯୋଗ୍ୟ ଯେ, ମାଲକାନଗିରି ସଦର ଥାନା ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ମାଢି ଏବଂ ତାଙ୍କ ସ୍ତ୍ରୀ ଉରେ ମାଢି ପ୍ରତିଦିନ ଗାଁ ନିକଟସ୍ଥ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ଏମଭି ୧୭ ଗ୍ରାମର କୃଷ୍ଣ ଦେବନାଥଙ୍କ ମିକ୍ସର କାରଖାନାକୁ ବିକ୍ରି କରିବା ଲାଗି ନିଅନ୍ତି । ମଙ୍ଗଳବାର ସକାଳେ କାଠ ନେଇ ମିକ୍ସର କାରଖାନା ଭିତରେ ପଶିଲା ବେଳକୁ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଉରେ ମାଢି । ତାଙ୍କୁ ଛଟପଟ ହେବା ଦେଖି ସ୍ବାମୀ ଦେବା ମାଢି ତାଙ୍କୁ ଛଡାଇବାକୁ ଯାଇଥିଲେ । ହେଲେ କିଛି ସମୟ ପରେ ଉରେ ମାଢିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦେବା ସେଠାରେ ଅଚେତ ଅବସ୍ଥାରେ ପଡି ରହିଥିଲେ । ପରେ ଗାଁ ଲୋକେ ଖବର ପାଇଁ ଉଭୟଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉରେଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଦେବାଙ୍କ ଚିକିତ୍ସା ଚାଲିଛି । ଗାଁ ଲୋକେ ମାଲକାନଗିରି ଥାନାରେ ଏତଲା ଦେବା ପରେ ଘଟଣାରୁ ଜଣାପଡିଛି ଯେ, ଏମ.ଭି. ୧୭ ଗ୍ରାମର କୃଷ୍ଣ ଦେବନାଥ ଭାଲୁକୁ ମାରିବା ଲାଗି ତାଙ୍କ ମିକ୍ସର କାରଖାନା ଚାରିପରେ ବିଦ୍ୟୁତ ତାର ବିଚ୍ଛାଇଥିଲେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗାଁ ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।






