ବଡ଼ମାଳ, (ବାଘୁଆବାର୍ତ୍ତା): ନିଜ ଇଚ୍ଛା ଅନୁସାରେ ଯୋଗ୍ୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ବିବାହ ହେବା ସମସ୍ତଙ୍କ ଅଧିକାର ରହିଛି । ହେଲେ ବାହା ହେବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ପୁଣି ବାପା ଓ ଭାଇ ମାଡ଼ ମାରିଛନ୍ତି । ସେମାନେ ଉଚ୍ଚଶିକ୍ଷିତ ତାଙ୍କ ଝିଅକୁ ମାଡ଼ ମାରି ଲହୁଲୁହାଣ କରି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଚକାମୁଣ୍ଡା ଗାଁରେ । ଚକାମୁଣ୍ଡା ଗାଁର ଶରତ ଝାଙ୍କରଙ୍କ ଝିଅ (୨୩)ଙ୍କ ବିବାହ ତାଙ୍କ ଇଚ୍ଛା ବିରୁଦ୍ଧରେ ସ୍ଥିର କରାଯାଉଥିଲା । ଭାଇ ଦେବେନ୍ଦ୍ର ଜୋରଜବରଦସ୍ତି ବିବାହ କରାଇବାକୁ ମସୁଧା ଚଳାଉଥିବା ବେଳେ ଯୁବତୀ ଏହାକୁ ବିରୋଧ କରିଥିଲେ । ସେ ନର୍ସିଂ ଟ୍ରେନିଂ କରିଥିବା ବେଳେ ଜଣେ ବେକାର ଯୁବକ ସହ ବାହା ହେବାକୁ ମନା କରିଥିଲେ । ଏହାକୁ ନେଇ ବାପା ଓ ଭାଇ ତାଙ୍କୁ ନିସ୍ତୁକ ପିଟି ଲହୁଲୁହାଣ କରି ପକାଇଥିଲେ । ଯୁବତୀ ଜଣକ ଏ ନେଇ ଚାରମାଳ ଥାନାରେ ବାପା ଓ ଭାଇ ବିରୋଧରେ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବଡ଼ମାଳ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ସୂଚନା ଦେଇଛନ୍ତି ।





