ମାଲକାନଗିରି/ଫୁଲନଖରା/ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ତାଙ୍କ କାରରୁ ୨ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା । ଏହା ପରେ ଭିଜିଲାନ୍ସ ଟିମ ମୋଟୁ ଆଇଆଇସିଙ୍କ ପୈତୃକ ଘର , କଟକ ରାଣୀହାଟସ୍ଥିତ ଶ୍ୱଶୁର ଘରେ ସମେତ କାର୍ୟ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧୦ଟି ବ୍ୟାଙ୍କର ପାସବୁକ ଓ ବିଭିନ୍ନ ଜମିଜମା କାଗଜ ସହିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳଲା ପରେ ଭିଜିଲାନ୍ସ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି। ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଶ୍ରୀ ସାହୁ ଆଜି ମୋଟରୁ ଫୁଲନଖରାସ୍ଥିତ ପୈତୃକ ଘରକୁ ଓଡି୦୫ଏକ୍ସ-୫୬୨୯ କାର୍ ଯୋଗେ ଫେରୁଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଏ ଖବର ପାଇବା ପରେ ଦିନ ପ୍ରାୟ ଗୋଟେ ୪୫ ମିନିଟ୍ ସମୟରେ ଖୋର୍ଦ୍ଧା ପୂର୍ତ୍ତବିଭାଗ କାର୍ୟ୍ୟାଳୟ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କର କାରକୁ ଅଟକାଇଥିଲା । ଡ୍ରାଇଭର ଗାଡ଼ି ରଖିବା ପରେ ଯାଞ୍ଚ କରିବାରୁ ଉକ୍ତ କାରରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ପରେ ଭିଜିଲାନ୍ସର ଦୁଇଟି ଟିମ୍ ନଖରାସ୍ଥିତ ଶ୍ରୀ ସାହୁଙ୍କ ପୈତୃକ ଘର ଏବଂ କଟକସ୍ଥିତ ତାଙ୍କ ଶ୍ୱଶୁର ଘରେ ଚଢ଼ଉ କରିଥିବାବେଳେ ସେଠାରୁ ଏଲ୍ଆଇସି ବଣ୍ଡ, ଗାଡ଼ି କାଗଜପତ୍ର, ମୋବାଇଲ, ସୁନା ଅଳଙ୍କାର, କାଗଜପତ୍ର, ଅଧାରକାର୍ଡ଼, ପାନକାର୍ଡ଼, ୫ ବିଭିନ୍ନ ବ୍ୟାଙ୍କର ଏଟିଏମ୍, ଲାପଟପ୍ ପ୍ରମୁଖ ଜବତ କରିଥିଲା । ଜବତ କାରଟି ତାଙ୍କ ଶଳାଙ୍କ ନାମରେ କିଣା ଯାଇଥିବାବେଳେ ଏହାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି । ତେବେ ଶୁଶାନ୍ତ ତାଙ୍କ ଶ୍ୱଶୁର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାରୁ ତାଙ୍କ ଲାଗି ଟଙ୍କା ଆଣି କଟକ ଆସୁଥିବା ସଫେଇ ଦେଇଛନ୍ତି । ତେବେ ଏହି ଘଟଣାରେ ଭିଜିଲାନ୍ସ ଟିମ୍ ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁଙ୍କୁ ଗିରଫ କରିଛି। ଆଜି ତାଙ୍କୁ ଜିଲାନ୍ସ କୋର୍ଟରେ ହାଜର କରାଯିବ।






