କଟକ, (ବାଘୁଆବାର୍ତ୍ତା): ବିଧାନସଭା ସମ୍ମୁଖରେ ବିଷ ପିଇ ଓ ହାତ କାଟି ଆତ୍ମହତ୍ୟା କରିଥିବା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ମଙ୍ଗଳାବାଗ ଥାନା ପୁଲିସ । ଏହି ଘଟଣାରେ ଗତକାଲି ପୁଲିସ ବ୍ରେକିଂ ନିଉଜ ଓଡ଼ିଶା ପୋର୍ଟାଲ୍ର ସାମ୍ବାଦିକ ପ୍ରତାପ ସେନାପତି ଓ ଏସ୍ସିବି ଅଧୀକ୍ଷକଙ୍କ କାର୍ୟ୍ୟାଳୟରେ ଚାକିରି କରିଥିବା ଚିତ୍ତରଞ୍ଜନ ଦାସଙ୍କୁ ଜେରା କରାଯାଇଛି । ପ୍ରାୟ ୪ ଘଣ୍ଟା କାଳ ସେମାନେ ଜେରାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁଇ ଜଣଙ୍କୁ ବୁଧବାର ପୁଣି ଜେରା କରାଯିବ । ଏଥିପାଇଁ ଥାନା ପକ୍ଷରୁ ମଙ୍ଗଳବାର ପୁଣି ନୋଟିସ୍ ପଠାଯିବାକୁ ସ୍ଥିର ହୋଇଛି । ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ମାମଲା ନେଇ ତାଙ୍କ ମାଆ ଏତଲା ଦେବା ପରେ ମଙ୍ଗଳାବାଗ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । କିଛି ଦିନ ପୂର୍ବରୁ ପୁଲିସ ୱେବ୍ ଚ୍ୟାନେଲ୍ ସ୍ୱପ୍ନା ଟିଭିର ଦୁଇ ସାମ୍ବାଦିକ ଅସିତ୍ କୁମାର ରାଉତ ଓ ଦୀପ୍ତିମୟ ବିଶ୍ୱରଞ୍ଜନଙ୍କୁ ଜେରା କରିସାରିଛି । ସେହିପରି ବାଦାମବାଡ଼ି ଅଞ୍ଚଳର ଦୀପ୍ତିରଞ୍ଜନ ସାହୁ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି । ମାତ୍ର ଏହି ୩ ଜଣଙ୍କଠାରୁ ସେଭଳି କିଛି ତଥ୍ୟ ନମିଳିବାରୁ ପୁଲିସ ଏହି ଘଟଣାରେ ସନ୍ଦିଗ୍ଧ ଥିବା ବ୍ରେକିଂ ନିଉଜ ଓଡ଼ିଶାର ପୋର୍ଟାଲ୍ର ସାମ୍ବାଦିକ ପ୍ରତାପ ଓ ଏସ୍ସିବି ଅଧୀକ୍ଷକଙ୍କ କାର୍ୟ୍ୟାଳୟରେ ଚାକିରି କରିଥିବା ଚିତ୍ତରଞ୍ଜନଙ୍କୁ ହାଜର ପାଇଁ ଗତକାଲି ନୋଟିସ୍ ଜାରି କରିଥିଲା । ଏହି ଅନୁସାରେ ପ୍ରତାପ ଓ ଚିତ୍ତରଞ୍ଜନ ଆଜି ଥାନାରେ ହାଜର ହୋଇଥିଲେ । ସାମ୍ବାଦିକ ପ୍ରତାପ ପୁଲିସକୁ କହିଛନ୍ତି ଯେ, ଦୁଷ୍ମନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅସୁବିଧା ବିଷୟରେ ଖବର ପ୍ରକାଶ କରିବାକୁ ସେ ତାଙ୍କ ସହିତ ଯୋଗାଯୋଗରେ ଥିଲେ । ସେହିପରି ଚିତ୍ତରଞ୍ଜନଙ୍କ ଓ ଦୁଷ୍ମନ୍ତଙ୍କ ଘର ଜଗତସିଂହପୁର ପଙ୍କପାଳ ହୋଇଥିବାରୁ ସହଯୋଗ ପାଇଁ ଦୁଷ୍ମନ୍ତ ତାଙ୍କୁ ଫୋନ୍ କରନ୍ତି ବୋଲି ଚିତ୍ତରଞ୍ଜନ ପୁଲିସକୁ କହିଛନ୍ତି । ତେବେ ଏହି ଫୋନ୍ କଲ୍ ବିଷୟରେ ଦୁହିଁଙ୍କୁ ଏକାଧିକ ପ୍ରଶ୍ନ କରାଯାଇଛି । ସେମାନେ ପୁଲିସକୁ ନିଜର ସଫେଇ ମଧ୍ୟ ଦେଇଛନ୍ତି । ପୁଲିସ ଏବେ ପାଇଥିବା ତଥ୍ୟ ଗୁଡ଼ିକୁ ତନଖି କରୁଛି ।






