ରାଜନଗର, (ବାଘୁଆବାର୍ତ୍ତା): ବିବାହକୁ ୧୫ ବର୍ଷ ପୂରିଥିବା ବେଳେ ୧୨ ବର୍ଷର ପୁଅ ରହିଛି । ସ୍ୱାମୀ ଦାଦନ ଖଟିବାକୁ ଯାଇଥିବା ବେଳେ ସ୍ତ୍ରୀ ତାଙ୍କ ପ୍ରେମିକ ସହ ପୁଅକୁ ନେଇ ପଳାଇ ଯାଇଥିବା ନେଇ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ରାଜନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ରାଜନଗର ଥାନାରେ ହୋଇଥିବା ଅଭିଯୋଗ ମୁତାବକ ହାତିଆଗଡ଼ି ଅଞ୍ଚଳର ଜନୈକ ବ୍ୟକ୍ତି ୧୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ବୟସ ୪୦ ବର୍ଷ ଓ ତାଙ୍କର ୧୨ ବର୍ଷର ପୁଅ ରହିଛି । ଘରର ପ୍ରତିପୋଷଣ ପାଇଁ ବ୍ୟକ୍ତି ଜଣକ ବର୍ଷକ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ । ଚଳିତ ମାସ ୧୬ ତାରିଖ ଦିନ ତାଙ୍କ ସ୍ତ୍ରୀ ଓ ପୁଅ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି ସେ ଖବର ପାଇ ଘରକୁ ଫେରିଥିଲେ । ମାତ୍ର ଘରେ ଥିବା ଟିଭି, ସାଇକେଲ, ମୋବାଇଲ ଫୋନ୍, ଗ୍ୟାସ୍, ସୁନା ଅଳଙ୍କାର, ଘରକୁ ପଠାଇଥିବା ୫୦ହଜାର ଟଙ୍କା ସହିତ ଘରର ଅନ୍ୟାନ୍ୟ ସାମଗ୍ରୀ ନଥିବା ଦେଖିଥିଲେ । ତାଙ୍କ ସ୍ତ୍ରୀ ଏସବୁ ନେଇ ଜଣେ ବ୍ୟକ୍ତିଙ୍କ ସହ ପଳାଇ ଯାଇଥିବା ନେଇ ସେ ଖବର ପାଇଛନ୍ତି । ସ୍ତ୍ରୀ ଓ ପୁଅର ସନ୍ଧାନ ନେବା ପାଇଁ ସେ ରାଜନଗର ଥାନାରେ ନେହୁରା ହୋଇଛନ୍ତି ।






