ବାଲେଶ୍ୱର, (ବାଘୁଆବାର୍ତ୍ତା): ଅବକାରୀ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଯିବା ଡରରେ ଗତକାଲି ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହେଲା। ମୃତ ଯୁବକଜଣକ ହେଲେ ସପନ ମାଝୀ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ । ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ୪ ଜଣ ଦେଶୀ ମଦ ବ୍ୟବସାୟୀ ବାଇକ୍ରେ ମଦ ନେଇ ଯାଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ଏହାପରେ ବିଭାଗୀୟ କର୍ମଚାରୀ ସେମାନଙ୍କ ପିଛା କରି ୩ ଜଣଙ୍କୁ କାବୁ କରିଥିଲେ। ହେଲେ ସପନ ମାଝି ଗାଡ଼ି ରଖି ନିକଟରେ ଥିବା କଣ୍ଟିଆଚିରା ନଦୀକୁ ଡେଇଁ ପଡ଼ିଥିଲେ। ଗତକାଲି ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି ପରେ ବି ନିଖୋଜ ଯୁବକର ପତ୍ତା ପାଇ ନ ଥିଲେ। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।






