ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଭସାଣୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ରେ ଜଣେ ମୃତ। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଆଦିବାସୀ ସାହିରେ ଏଭଳି ତୁମୁଳକାଣ୍ଡ ଘଟିଛି। ଗତକାଲି ଖୁଦୁରୁକୁଣୀ ଓଷା ଚାଲୁଥିବା ବେଳେ ଗଣେଶ ପୂଜା ଭସାଣୀରେ ଡିଜେ ବଜାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ବୈକୁଣ୍ଠ ବେହେରା। ଖବର ପାଇ ଖୋର୍ଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ଅପର ପକ୍ଷରେ ମୃତକଙ୍କ ପରିବାର ଲୋକେ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।






