ସମ୍ବଲପୁର, (ବାଘୁଆବାର୍ତ୍ତା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓସିସିଏଲ୍ର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ରଞ୍ଜନଙ୍କ ସମ୍ବଲପୁର ସହରର ଚୈତନ୍ୟ ନଗର ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଚୈତନ୍ୟ ନଗରରେ ରଞ୍ଜନଙ୍କର ଏକ ତିନି ମହଲା କୋଠା ରହିଛି। ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିବା ସହ ଗୋଟିଏ ୫୦୦ ଟଙ୍କିଆ ବଣ୍ତଲ ଓ ଆଉ କିଛି ଟଙ୍କା ଜବତ କରିଛି। ଏହି ଟଙ୍କା ବଣ୍ଡଲରେ ସିଲ୍ ଖୋଲା ଯାଇନଥିବା ଜଣାପଡ଼ିଛି। ରଞ୍ଜନ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏହି ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରଞ୍ଜନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ଆୟ ବର୍ହିଭୂତ ସମ୍ପତି ଠୁଳ କରିନାହିଁ। ମୋର ୪୦ ଲକ୍ଷ ଟଙ୍କା ବ୍ୟାଙ୍କ ଲୋନ୍ ଅଛି। ପୂର୍ବରୁ ଆମର ସମ୍ପତ୍ତି ବାଡ଼ି ରହିଛି। ୫୦୦ ଟଙ୍କିଆ ନୋଟ୍ ଥିବା ଏକ ବଣ୍ଡଲ ମୁଁ କିଛି କାମ ପାଇଁ ଘରେ ରଖିଥିଲି। ଏହି ୫୦୦ ଟଙ୍କିଆ ବଣ୍ଡଲରେ ୫୦ ହଜାର ଟଙ୍କା ଅଛି। ଖବର ଲେଖାଯିବା ପର୍ୟ୍ୟନ୍ତ ରଞ୍ଜନଙ୍କ ଘରେ ଚଢ଼ାଉ ଜାରି ରହିଥିଲା। ତେଣୁ ତାଙ୍କର ସଂପତ୍ତି ସଂପର୍କରେ ପୂରା ସୂଚନା ଆସିପାରି ନାହିଁ।






