ଫୁଲବାଣୀ, (ବାଘୁଆବାର୍ତ୍ତା): ଟାଉନ ଥାନା ଅନ୍ତର୍ଗତ ଜିରିଙ୍ଗପଡାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛି । ଅନ୍ୟ ପଟେ ଗୁରୁତର ସ୍ତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ସୂଚନା ମୁତାବକ, ଜିରିଙ୍ଗପଡାର ଭାଗ୍ୟବତୀ ନାୟକ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ସ୍ଵିପର ଭାବେ କାମ କରନ୍ତି । ଶୁକ୍ରବାର ରାତି ସେ ଓ ସ୍ବାମୀ ରମେଶ ଗୋଟିଏ ଘରେ ଶୋଇଥିଲେ । ଅନ୍ୟ ଏକ କୋଠରୀରେ ଶୋଇଥିବା ପୁଅ ଝିଅ ସକାଳୁ ଉଠି ବାପା ମା ଶୋଇଥିବା କୋଠରୀରେ ତାଲା ପଡିଥିବା ଦେଖିଥିଲେ । ପଡିଶା ଲୋକଙ୍କୁ ଡାକି ତାଲା ଭାଙ୍ଗିବା ପରେ ଭିତରେ ଭାଗ୍ୟବତୀ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ତାଙ୍କର ମୁଣ୍ଡକୁ ପଥରରେ ଛେଚିବା ସହ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଅପରପକ୍ଷେ ସ୍ବାମୀ ରମେଶଙ୍କ ଅତ୍ତାପତ୍ତା ମିଳି ନ ଥିଲା । ଗୁରୁତର ଭାଗ୍ୟବତୀଙ୍କୁ ପ୍ରଥମେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସ୍ବାମୀ ରମେଶ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ବେଳେ ଟାଉନ ପୁଲିସ ଘଟଣାର ତଦନ୍ତ କରୁଛି।






