ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ମାନସିକ ନିର୍ୟାତନ ଦେବା ସହ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି । ବିମାନଘାଟି ପରିସରରେ କାର୍ୟ୍ୟରତ କର୍ମଚାରୀ ସୁମନ୍ତ ନନ୍ଦଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ସୁମନ୍ତଙ୍କୁ ପୁଲିସ୍ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଉତ୍କଳ ଉଦ୍ୟାନ ପ୍ରାଇଭେଟ୍ ଲିମିଟେଡ୍ରେ କାର୍ୟ୍ୟ କରୁଥିବା ମହିଳା ଶ୍ରମିକ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ୧୫ ତାରିଖରୁ ସେ ବିମାନଘାଟିରେ କାମ କରିବାକୁ ଯାଉଛନ୍ତି । ସେହି ଦିନ ବିମାନଘାଟି ପରିସରରେ ଥିବା ବଗିଚାରେ ସେ ଘାସ ଉପାଡୁଥିବା ବେଳେ ସୁମନ୍ତ ତାଙ୍କ ପାଖକୁ ଯାଇ କଥା ହୋଇଥିଲେ । ବିମାନଘାଟି ବହୁତ ବଡ଼ ହେବ ଏଠାରେ ବହୁତ ପଦବୀ ବାହାରିବ । ପଦବୀ ବାହାରିଲେ ଜଣାଇବାକୁ ମହିଳା ଶ୍ରମିକ ଜଣକ ସମନ୍ତଙ୍କୁ କହିଥିଲେ । ଏହାପରେ ସମୁନ୍ତ ମହିଳା ଶ୍ରମିକଙ୍କୁ ଖୁସ୍ କରାଇବାକୁ କହିବା ସହ ବିଭିନ୍ନ ପ୍ରକାର ଅଶ୍ଲୀଳ ଇଙ୍ଗିତ କରିବା ସହ ସେଠାରୁ ଚାଲି ଯାଇଥିଲେ । ଗତକାଲି ମଧ୍ୟାହ୍ନରେ ମହିଳା ଶ୍ରମିକ ଜଣକ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ଗୃହରେ ଏକ ଚେୟାରରେ ବସି ବିଶ୍ରାମ ନେଉଥିବା ବେଳେ ହଠାତ୍ ସୁମନ୍ତ ସେଠାରେ ପହଞ୍ଚି ଥିଲେ । ହଠାତ୍ ମହିଳା ଶ୍ରମିକଙ୍କ ଶରୀର ସମ୍ବେଦନଶୀଳ ସ୍ଥାନରେ ହାତ ମାରିବା ସହ ବଳାତ୍କାର ଉଦ୍ୟମ କରିଥିଲେ । ମହିଳା ଶ୍ରମିକ ଜଣକ ଜୋରରେ ଚିତ୍କାର କରିବାରୁ ସୁମନ୍ତ ସେଠାରୁ ଚାଲି ଯାଇଥିଲେ । ମହିଳା ଶ୍ରମିକ ଜଣକ ନିଜ ସୁପରଭାଇଜରଙ୍କୁ ଫୋନ୍ କରି ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ସଂସ୍ଥାର ଉଚ୍ଚଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ । ଘଟଣାକୁ ନେଇ ଆଜି ଛେଣ୍ଡ ଥାନାରେ ମହିଳା ଶ୍ରମିକ ଜଣକ ଲିଖିତ ଅଭିଯୋଗ କରିଛନ୍ତି ।






