ବାଲିଗୁଡ଼ା, (ବାଘୁଆବାର୍ତ୍ତା): କନ୍ଧମାଳ ଜିଲ୍ଲା ବରଖମା ଫାଣ୍ଡି ଅନ୍ତର୍ଗତ ରେବିଙ୍ଗିଆରେ ଗୁଳିକାଣ୍ଡ ଘଟଣାରେ ବାଲିଗୁଡ଼ା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା’ ନାଁ ଭୀମ ବେହେରା। ତା’ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଏହି ଗୁଳିକାଣ୍ଡ ଘଟଣାରେ ଗାଁର ନବଘନ ସାହୁଙ୍କର ମୃତ୍ୟୁ ଘଟିଥିଲା। ମିଳିଥିବା ସୂଚନା ଅନୁସାରେ, ନବଘନଙ୍କର ଏକ ତେଜରାତି ଦୋକାନ ଥିଲା। ସେହିପରି ଭୀମ ଏକ ଫାଷ୍ଟଫୁଡ୍ ଦୋକାନ ଚଲାଉଥିଲେ। ଗତ ୧୬ ତାରିଖ ସକାଳେ କୌଣସି କଥାକୁ ନେଇ ନବଘନ ଓ ଭୀମଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ନବଘନଙ୍କ ଉପରେ ରାଗି ଯାଇଥିଲେ ଭୀମ। ସେହିଦିନ ରାତିରେ ନବଘନ ଘର ସାମ୍ନାରେ ବସିଥିବା ବେଳେ ଭୀମ ଏକ ଦେଶୀ ବନ୍ଧୁକରୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାଲିଗୁଡ଼ା ପୁଲିସ ଗତକାଲି ଭୀମକୁ ଗିରଫ କରିଥିଲା। ତେବେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ନା ନାହିଁ, ତାହା ଜାଣିବା ପାଇଁ ପୁଲିସ୍ ଅଧିକ ତଦନ୍ତ ଚଲାଇଛନ୍ତି।






