ଯାଜପୁର, (ବାଘୁଆବାର୍ତ୍ତା): ସ୍ଵାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ। ଗତକାଲି ରାତିରେ ଯାଜପୁର ଜିଲ୍ଲା ଟମକା ଥାନା ଗୋବର୍ଦ୍ଧନପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ସୂଚନା ମୁତାବକ, ଗୋବର୍ଦ୍ଧନପୁର ଗ୍ରାମର ଗୋପାଳ ବେହେରାଙ୍କ ପୁଅ ରଞ୍ଜିତ ବେହେରା କଳିଙ୍ଗନଗର ସ୍ଥିତ ଏକ କାରଖାନାରେ କାର୍ୟ୍ୟ କରନ୍ତି। ଗତକାଲି ରାତିରେ ନିଜ କାମ ସାରି ଘରକୁ ଫେରିବା ପରେ କୌଣସି କଥାକୁ ନେଇ ସ୍ତ୍ରୀ ହୀରାଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରଞ୍ଜିତ ଏକ କଟୁରିରେ ସ୍ତ୍ରୀ ହୀରାଙ୍କ ବେକକୁ ଚୋଟ ପକାଇଥିଲା। ଏହି ସମୟରେ ପାଟିତୁଣ୍ଡ ଶୁଣି ପଡୋଶୀ ସେଠାକୁ ଆସି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ ହୀରାଙ୍କୁ ଉଦ୍ଧାର କରି ଦାନଗଦୀ ମେଡ଼ିକାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟମକା ପୋଲିସ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।






