ୟାମା ଗାଡ଼ି, ୪ ମୋବାଇଲ ଓ ଟଙ୍କା ଜବତ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ ଡକାୟତ ଗିରଫ । ସେମାନଙ୍କ ଠାରୁ ଗୋଟିଏ ୟାମା ଗାଡି, ୪ ଗୋଟି ମୋବାଇଲ ଓ ୧୨୦୦ ଟଙ୍କା ଜବତ କରାଯାଇଛି । ସୁଚନାନୁସାରେ ନିକଟସ୍ଥ ସିନ୍ଦୁରିଆ ଗ୍ରାମର ପ୍ରହ୍ଲାଦ ନାୟକଙ୍କ ପୁଅ ପ୍ରସାନ୍ତ କୁମାର ନାୟକ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ସୁଇପର ଭାବେ କାର୍ଯ୍ୟ କରନ୍ତି । ଗତ କାଲି ପ୍ରଶାନ୍ତଙ୍କର ରାତ୍ରି ଡିଉଟି ଥିଲା । ରାତ୍ରି ଡିଉଟି କରିବା ସମୟରେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ନିକଟସ୍ଥ ଲିଫ୍ଟ ପାଖରେ ଶୋଇ ପଡିଥିଲେ । ହଠାତ ରାତ୍ରି ଦୁଇଟା ପରେ ୩ ଜଣ ବ୍ୟକ୍ତି ଆସି ତାଙ୍କ ପକେଟ ଦରାଣ୍ଡି ୧୨୦୦ ଟଙ୍କା ନେଇଥିଲେ । ଏହି ସମୟରେ ସେ ହଠାତ ଚିତ୍କାର କରିବାରୁ ମେଡିକାଲ ସିକ୍ୟୁରିଟି ମାନେ ଉକ୍ତ ୩ ଜଣଙ୍କୁ କାବୁ କରି ନେଇଥିଲେ । ଏହାକୁ ନେଇ ପ୍ରଶାନ୍ତ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ । ଟାଉନ ଥାନା ପକ୍ଷରୁ ସରଣକୁଳ ଥାନା ଅନ୍ତର୍ଗତ ପଦ୍ମାଦେଇପୁର ବଛେଇ ପ୍ରଧାନଙ୍କ ପୁଅ ଶ୍ରୀଧର ପ୍ରଧାନ, ସଦର ଥାନା ଅନ୍ତର୍ଗତ ରାଇପୁର ଗ୍ରାମର ମହେଶ୍ୱର ସ୍ୱାଇଁଙ୍କ ପୁଅ କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ସରଣକୁଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ହରିଜନ ସାହିର ମନୋଜ କୁମାର ନାୟକଙ୍କ ପୁଅ ସୁପୁନ ନାୟକଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଜାଲ ନମ୍ବର ଥିବା ଏକ ୟାମା ମୋଟର ସାଇକେଲ, ୪ ଗୋଟି ମୋବାଇଲ ଓ ୧୨୦୦ ଟଙ୍କା ଜବତ କରାଯାଇଛି । ନୟାଗଡ଼ ଟାଉନ ଥାନାରେ କେସ୍ ନଂ ୨୬୯ ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି ।





