ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ନୟାଗଡ଼ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚୋରା ଚାଲାଣ ଧରିବାରେ ସଫଳ ହୋଇଛନ୍ତି ଦଶପଲ୍ଲା ଅବକାରୀ ବିଭାଗ । ସୁଚନାନୁସାରେ ଦଶପଲ୍ଲା ସୁବଳିଆ ନିକଟ ରେଲ୍ୱେ ଓଭରବ୍ରିଜ ପାଖରେ ଗଞ୍ଜେଇ ଚୋରା ଚାଲାଣର ଖବର ଅବକାରୀ ବିଭାଗ ପାଖରେ ରହିଥିଲା । ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ । ଏଥି ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ କଫି କଲର ଚାରି ଚକିଆ ହୋଣ୍ଡା ଅମାଜି କାର ଜବତ କରାଯାଇଛି ।
ଏହି କାରରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ୨୨/୨୪-୨୫ ରେ ମାମଲା ରୁଜୁ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ସୁରଶ୍ରୀ ଡିଗଲଙ୍କ ପୁଅ କଇନା ଡିଗଲ, ସେହି ଥାନା ଅନ୍ତର୍ଗତ ସସୀପଦର ଗ୍ରାମର ନରି ଡିଗଲଙ୍କ ପୁଅ ଦେବେନ୍ଦ୍ର ଡିଗଲ ଓ ସେହି ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ଜୁଲିଆ ଡିଗଲଙ୍କ ପୁଅ ବିନାୟକ ଡିଗଲଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏହି ଚଢ଼ଉରେ ନୟାଗଡ଼ ସଦର ଅବକାରୀ ଆଇଆଇସି ବିଷ୍ଣୁ ଚରଣ ମଲ୍ଲିକ, ଦଶପଲ୍ଲା ଅବକାରୀ ବିଭାଗର ଓଆଇସି ଦୀପକ କୁମାର ଜେନା, କନେଷ୍ଟବଲ ଦେବୀପ୍ରସାଦ ପାଣି, କୃଷ୍ଣଚନ୍ଦ୍ର ପରିଡ଼ା, ହରପ୍ରିୟା ମଲ୍ଲିକ, ନୀତା ନାୟକ, ପ୍ରଦୀପ କୁମାର ନାୟକ, ପ୍ରଶାନ୍ତ ସେଠୀ ଓ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।





