ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନାକୁ ମିଳିଛି ସଫଳତା । ଜଣେ ବ୍ରାଉନସୁଗାର ବିକାଳିକୁ ଧରିବାରେ ଇଟାମାଟି ପୁଲିସ ସଫଳ ହୋଇଛି । ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସମସ୍ତ ଥାନା ଅଧୀକାରୀ ମାନଙ୍କୁ ବିଭିନ୍ନ ଅପରାଧୀକ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ କାଲି ଇଟାମାଟି ପୁଲିସ ପକ୍ଷରୁ ଚମ୍ପତ୍ତିପୁର, ଆଙ୍କୁଲାଇ ପାଟଣା ଓ ନାଟୁଗାଁ ଗ୍ରାମରେ ପେଟ୍ରୋଲିଂ କରିଥିଲା । ଏହି ପେଟ୍ରୋଲିଂ ସମୟରେ ଇଟାମାଟି ପୁଲିସକୁ ବ୍ରାଉନ ସୁଗାର ବେପାରର ସୁରାକ ମିଳିଥିଲା । ଆଙ୍କୁଲାଇ ପାଟଣା ଗ୍ରାମର ଦେବରାଜ ନାୟକଙ୍କ ପୁଅ ମନୋଜ କୁମାର ନାୟକଙ୍କୁ ଗିରଫ କରିଛି । ମନୋଜ ଠାରୁ ୧୨.୬୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏକ ସ୍ମାର୍ଟ ଫୋନ ଓ ହିରୋ ଗ୍ଲାମର ଗାଡ଼ିକୁ ପୁଲିସ ସିଜ୍ କରିଛି । ଇଟାମାଟି ଥାନା କେସ୍ ନଂ – ୬୯/୨୦୨୪ ରେ ମାମଲା ରୁଜ କରାଯାଇ ଆସାମିକୁ କୋର୍ଟ ଫରୁୱାର୍ଡ କରାଯାଇଛି ।





