ଆନନ୍ଦପୁର, (ବାଘୁଆବାର୍ତ୍ତା): ହୋଟେଲ ମାଲିକଙ୍କ ଦବଙ୍ଗଗିରି। ୫ ଟଙ୍କା ପାଇଁ ପୁଅ ସହ ମିଶି ଜଣେ ଗ୍ରାହକଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି। ଆଉ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅମାନବୀୟ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ବଜାରରେ। ଅଭିଯୋଗ ଅନୁଯାୟୀ, ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ଏକ ହୋଟେଲକୁ ଗ୍ରାହକ ଜଣଙ୍କ ଗତକାଲି ମଧ୍ୟାହ୍ନରେ ଖାଇବାକୁ ଯାଇଥିଲେ। ଖାଇବା ପରେ ମାଲିକ ୪୫ଟଙ୍କା ଦେବାକୁ ତାଙ୍କୁ କହିଥିଲେ। ହେଲେ ଗ୍ରାହକ ଜଣଙ୍କ ୪୦ଟଙ୍କା ଦେଇ ବାକି ଟଙ୍କା ପଛରେ ଦେବେ ବୋଲି କହିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ହୋଟେଲ ମାଲିକ ଓ ତାଙ୍କ ପୁଅ ମିଶି ଉକ୍ତ ଗ୍ରାହକଙ୍କୁ ସର୍ବସମ୍ମୁଖରେ ନିର୍ଦ୍ଧୁମ ପିଟିଥିଲେ। ଗ୍ରାହକ ଜଣଙ୍କ ଏନେଇ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ହୋଟେଲ୍ ମାଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ତାଙ୍କ ପୁଅ ଏଯାଏଁ ଧରାପଡ଼ି ନଥିବା ଜଣାଯାଇଛି।






