କଟକ, (ବାଘୁଆବାର୍ତ୍ତା): କଟକ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କଲା ସିଆରଆରଆଇ ଥାନା ପୋଲିସ । ଘଟଣାର ଗୁରୁତ୍ବ ଥିବାରୁ ଏହାକୁ ରେଡ୍ ଫ୍ଲାଗ୍ ହିସାବରେ ଗ୍ରହଣ କରାଯିବ । ଏଥିସହ ମାସେ ଭିତରେ ତଦନ୍ତ କରି ଚାର୍ଜସିଟ୍ ପ୍ରଦାନ କରାଯିବ । ଏ ନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି । ସୋମବାର ରାତିରେ ଭାରତୀ ସାହୁ ନାମକ ମହିଳାଙ୍କୁ ଅଭିଯୁକ୍ତ ମୁନା ଛୁରୀ ଭୁସି ହତ୍ୟା କରିଥିଲା । ସୂଚନାଯୋଗ୍ୟ ଯେ, କଟକ ନେହେରୁପଲ୍ଲୀ ଦେବେନ୍ଦ୍ର ନଗର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଜୀବନ ଯାଇଥିଲା । ମୃତ ମହିଳା ଭାରତୀ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ସୂଚନା ମିଳିଥିଲା । ସୋମବାର ରାତି ପ୍ରାୟ ୮ଟା ୩୦ମିନିଟ୍ ସମୟରେ ସେହି ଅଞ୍ଚଳର ମୁନା ନାମକ ଜଣେ ଯୁବକ ହଠାତ ଭାରତୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଯାହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ଅଭିଯୁକ୍ତ ମୁନା ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ ପୂର୍ବରୁ ଭାରତୀଙ୍କ ବଡ଼ ଝିଅକୁ ଅସଦ ବ୍ୟବହାର କରିବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଥିବା କଥା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସିଆରଆରଆଇ ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ।





