ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳରେ ଜଣେ ଗହଣା ବ୍ୟବସାୟୀଙ୍କୁ ଗୁଳି ମାଡ଼ କରି ଲୁଟ କରିଛନ୍ତି ଦୁର୍ବୃତ୍ତ । ଗୁଳି ମାଡ଼ରେ ଗହଣା ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତମାନେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା, ସେ ପିନ୍ଧିଥିବା ଏକ ସୁନା ଚେନ ଓ କିଣି ନେଉଥିବା ସାଢ଼େ ୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେବାରେ ସକ୍ଷମ ହୋଇଛନ୍ତି । ଗୁରୁତର ଗହଣା ବ୍ୟବସାୟୀ ଜଣଙ୍କ ଅନୁଗୁଳ ଖଲାରୀ ଅଂଚଳର ପ୍ରକାଶ ଚନ୍ଦ୍ର ସାହୁବୋଲି ଜଣାପଡିଛି । ପ୍ରକାଶଙ୍କ ପଛ ଅଣ୍ଟାରେ ଗୁଳି ବାଜିଥିବା ଜଣାପଡିଛି । ପ୍ରକାଶ ମଙ୍ଗଳବାର ତାଙ୍କ ବାଇକ ଯୋଗେ କଟକରୁ ଗହଣା କିଣି ଅନୁଗୁଳ ଫେରୁଥିଲେ । ପୁରୁଣା କଟକ ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ନିକଟରେ ତାଙ୍କୁ ଗୁଳିମାଡ଼ କରି ଲୁଟ ହୋଇଛି । ପଛରୁ ଏକ ବଜାଜ ପଲସର ଓ ଏକ ଆପାଚି ବାଇକ ଯୋଗେ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ଅନୁସରଣ କରି ତାଙ୍କ ଉପରକୁ ଗୁଳିମାଡ଼ କରି ଲୁଟ କରିଥିବା ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ କଦଳୀପାଳ ଅଂଚଳରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ରାସୋଳ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।





