ପୁରୀ, (ବାଘୁଆବାର୍ତ୍ତା): ପୋଲିସର ନିଦ ହଜାଇ ଦେଇଥିବା ଏକ ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଚୋରି ସାମଗ୍ରୀ କିଣିଥିବା ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ସେହିପରି ଏହି ମୂର୍ତ୍ତି ଚୋରି ଗ୍ୟାଙ୍ଗ ଠାରୁ ଚୋରି ହୋଇଥିବା ମୂଲ୍ୟବାନ ମୂର୍ତ୍ତି ସହ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ। ଏନେଇ ପୁରୀ ଏସପି ପିନାକ ମିଶ୍ର ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ରାତିରେ ମୁଖ୍ୟ ଅଭିଯୁକ୍ତ ରଞ୍ଜନ କୁମାର ପ୍ରଧାନ ତା’ର ଦୁଇ ସହଯୋଗୀ ବିକାଶ ବେହେରା ଏବଂ ଶୁଶୀଲ ପ୍ରଧାନ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ମୁକ୍ତେଶ୍ଵର ମନ୍ଦିରରୁ ମୂଲ୍ୟବାନ ଶିବ ପାର୍ବତୀ ମୂର୍ତ୍ତି ସହ ଠାକୁରଙ୍କ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ। ପରେ ଏହାକୁ ପୁରୀ ସଦର ବାଲିପୁଟ ଅଞ୍ଚଳର ଗୁଣମଣି ପ୍ରଧାନ ଏବଂ ଜିତେନ୍ଦ୍ର କାହଲ୍ ଙ୍କୁ ବିକ୍ରି କରିଦେଇଥିଲେ। ତେବେ ଚୋରି ଘଟଣାର ଅନୁସନ୍ଧାନ ପୋଲିସ କରୁଥିବାବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇ ସିଟି ଡିଏସପି ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଧରିଥିଲେ। ଅଭିଯୁକ୍ତଙ୍କ ଠାରୁ ଶିବ ପାର୍ବତୀ ମୂର୍ତ୍ତି ସହ ସୁନା ରୂପା ଅଳଙ୍କାର ଜବତ ହୋଇଥିଲା। ତେବେ ଏହି ଗ୍ୟାଙ୍ଗକୁ ପୋଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ବୋଲି ଏସପି କହିଛନ୍ତି । ସେହିପରି ମନ୍ଦିରରୁ ଚୋରି ରୋକିବା ପାଇଁ ସମସ୍ତ ଧର୍ମାନୁଷ୍ଠାନର କମିଟିମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯିବ । ଧର୍ମାନୁଷ୍ଠାନ ଗୁଡ଼ିକରେ ଏକାଧିକ ସିସିଟିଭି କ୍ୟାମେରା ଲଗାଯିବା ସହ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ କରିବା ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯିବ । ଏହାଦ୍ବାରା ଧର୍ମାନୁଷ୍ଠାନ ଗୁଡ଼ିକରୁ ଚୋରି ରୋକିହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସୂଚନା ଦେଇଛନ୍ତି।





