କାମାକ୍ଷାନଗର, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା କଣ୍ଡାର ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବୋହୂକୁ ଅସଦାଚରଣ କରିବା ଅଭିଯୋଗରେ ଗୁଣିଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଶଶୁର। ମୃତ ଗୁଣିଆ ହେଲେ, ଗ୍ରାମର ଧର୍ମାନନ୍ଦ। ଗୁଣିଆ ଭାବେ ଧର୍ମାନନ୍ଦଙ୍କ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତି ରହିଛି। ଘରେ ସମସ୍ତେ ଖାଇ ପିଇ ଶୋଇବା ପରେ ଧର୍ମାନନ୍ଦ ଉକ୍ତ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଅସଦାଚରଣ ଉଦ୍ୟମ କରିଥିଲେ। ସେହି ସମୟରେ ପୀଡ଼ିତାଙ୍କ ଶଶୁର ଘରେ ପହଞ୍ଚି ଯାଇଥିଲେ। ଘଟଣା ଦେଖିବା ପରେ ସେ ଉତ୍କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ଧର୍ମାନନ୍ଦଙ୍କ ବେକକୁ ଚୋଟ ପରେ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଧର୍ମାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ତେବେ ଧରାପଡ଼ିଯିବା ଭୟରେ ସେ ଧର୍ମାନନ୍ଦଙ୍କ ଶବକୁ ୨୦୦ ମିଟର ଦୂର ଜଙ୍ଗଲ ମଧ୍ୟରେ ଫୋପାଡ଼ି ଦେଇଥିଲେ। ତେବେ ଘଟଣା ପ୍ରଘଟ ହେବା ପରେ କାମାକ୍ଷାନଗର ଏସ୍ଡିପିଓ ପ୍ରଭାତ ତ୍ରିପାଠୀ ଏବଂ କଙ୍କଡାହାଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଏବଂ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତକୁ ଅଟକ ରଖି କଙ୍କଡ଼ାହାଡ଼ ପୁଲିସ ତଦନ୍ତ ଚଳାଇଛି।





