ବାରଙ୍ଗ, (ବାଘୁଆବାର୍ତ୍ତା): ଦୁଇ ଲକ୍ଷ ଟଙ୍କା ଦାଦା ବଟି ମାଗିବା ପଡ଼ିଲା ମହଙ୍ଗା । ଗିରଫ ହେଲା ପେଶାଦାର ଅପରାଧୀ ଛବି । ପୂର୍ବରୁ ରହିଛି ହତ୍ୟା ସମେତ ଏକାଧିକ ମାମଲା । ବେଲ୍ କ୍ୟାନ୍ସଲ୍ ପାଇଁ କୋର୍ଟଙ୍କୁ ଅନୁରୋଧ କରିବ ବାରଙ୍ଗ ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ବାଲିଘାଟ ଅଞ୍ଚଳରେ ଗୁଣ୍ଡା ସାଜି ଦାଦାବଟି ମାଗୁଥିବା ଛବିନ୍ଦ୍ର ଲେଙ୍କା ଓରଫ ଛବିଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ । ରବିବାର ରାତିରେ ଛବି ନରଣପୁର ବାଲିଘାଟ ଅଞ୍ଚଳରେ ପ୍ରକାଶ ଚନ୍ଦ୍ର ତରାଇଙ୍କ ଠାରୁ ଡରାଇ ଧମକାଇ ଦୁଇ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ପରେ ଆତଙ୍କିତ ପ୍ରକାଶ ଛବିକୁ ୪୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ନେଇ ଚମ୍ପଟ ମାରିବା ପରେ ପ୍ରକାଶ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାରଙ୍ଗ ପୋଲିସ ଏକ ସ୍ଵତନ୍ତ୍ର ଟିମ ସହ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତ ଛବିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଛବି ନାମରେ ପୂର୍ବରୁ ହତ୍ୟା ପରି ସଙ୍ଗୀନ ମାମଲା ସହ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ତାର ବେଲ୍ କ୍ୟାନ୍ସଲ୍ ପାଇଁ କୋର୍ଟଙ୍କୁ ଅନୁରୋଧ କରିବ ବାରଙ୍ଗ ଥାନା ପୋଲିସ ।





