ବାରଙ୍ଗ, (ବାଘୁଆବାର୍ତ୍ତା): ଗିରଫ ହେଲା ତଣ୍ଟି କଟା ଲୁଟେରା । ଅଭିଯୁକ୍ତ ବଳବନ୍ତ ବାଇଁ ଓରଫ ଗୋଧି ଗିରଫ ହୋଇଛି । ସେପଟେ ଚୋର ଏବଂ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ପୋଲିସ । ସୂଚନାଯୋଗ୍ୟ ଯେ, ଓମ୍ଫେଡ ବ୍ୟବସାୟୀଙ୍କ ତଣ୍ଟି କାଟି ଲୁଟ୍ ମାମଲାରେ ବଳବନ୍ତ ବାଇଁ ଓରଫ ଗୋଧିକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ନୂଆବର୍ଷ ପରଦିନ ଭୋର ସମୟରେ ଶିବାନନ୍ଦ ବାରିକ୍ ନିଜ ଓମ୍ଫେଡ ଷ୍ଟଲ୍ ଯିବା ବେଳେ ଦୁଇ ଜଣ ଲୁଟେରା ଆସି ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ । ଶିବାନନ୍ଦ ଏହାର ବିରୋଧ କରିବାରୁ କିଛି ସମୟ ପାଇଁ ହୋଇଥିଲା ଧସ୍ତାଧସ୍ତି । ପରେ ଲୁଟେରାମାନେ ଶିବାନନ୍ଦଙ୍କ ତଣ୍ଟିରେ ଛୁରୀ ଧାରୁଆ ବ୍ଲେଡ୍ରେ ଆକ୍ରମଣ କରି ଛଡ଼ାଇ ନେଇଥିଲେ ୬ ହଜାର ଟଙ୍କା । ଘଟଣାର ସପ୍ତାହ ମଧ୍ୟରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ପୋଲିସ ଚାରିଆଡ଼େ ସର୍ଚ୍ଚ ଆରମ୍ଭ ସହ ସିସିଟିଭି ଯାଞ୍ଚ କରି ଗୋଧିକୁ ଗିରଫ କରି କୋର୍ଟ ଚାଲଣ କରିଛି । ଗୋଧିର ସହଯୋଗୀ ଫେରାର ଥିବାବେଳେ ତାକୁ ଧରିବା ପାଇଁ ଚାରିଆଡ଼େ ଚଢ଼ାଉ ଜାରି ରଖିଛି ପୋଲିସ । ସେପଟେ ରାଜଧାନୀରେ ଏକାଧିକ ଆପାର୍ଟମେଣ୍ଟରୁ କୋଟି କୋଟି ଟଙ୍କା ସମ୍ପତ୍ତି ଲୁଟ୍ ପରେ ନୂଆ ଷ୍ଟ୍ରେଟେଜି ଆପଣେଇଛି ପୋଲିସ । ସହରର ବିଭିନ୍ନ ଛକ ଏବଂ ଆପାର୍ଟମେଣ୍ଟରେ ଲୁଟେରାଙ୍କ ଫୋଟ, ପୋଷ୍ଟର ମାରି ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ଅପିଲ କରିଛି ପୋଲିସ ।





