ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରଣତି। ସ୍ୱାମୀ-ସ୍ତ୍ରୀ ନେଲେ ଚରମ ନିଷ୍ପତ୍ତି। ଶୁକ୍ରବାର ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଭଞ୍ଜ ସାହିର ସନ୍ତୋଷ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ଼ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସନ୍ତୋଷଙ୍କ ଘରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ନୟନିଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ପାଟପୁର ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଚଳାଇଛି। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଶୁକ୍ରବାର ମଧ୍ୟ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋରସୋରରେ ବଚସା ଘଟିଥିଲା। ଏହାପରେ ସେମାନେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ପାରିବାରିକ କଳହକୁ କେନ୍ଦ୍ର କରି ସପ୍ତାହକ ମଧ୍ୟରେ ଏହା ତୃତୀୟ ଘଟଣା। ଗତ ୫ ତାରିଖରେ ପୋଲସରା ଥାନା ଷୋଡ଼କ ଗ୍ରାମରେ ୪ ମାସ ତଳେ ବିବାହ କରିଥିବା ପତ୍ନୀକୁ କଟୁରିରେ ହାଣି ହତ୍ୟା କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଥିଲା। ସେହିପରି ୮ ତାରିଖରେ ଚମାଖଣ୍ଡି ଥାନା ପୁଟବଗଡ଼ ଗାଁରେ ୧୦ ମାସର ଶିଶୁ ପୁତ୍ର ଓ ପତ୍ନୀକୁ ହାଣି ହତ୍ୟା ପରେ ସ୍ବାମୀ ନିଜେ ଆତ୍ମହତ୍ୟା କରିଥିଲା।






