ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ଚାଲିଥିବା ଆଇଟି ରେଡରେ ପୂର୍ଣ୍ଣଚ୍ଛେଦ ପଡିନି । ଗତକାଲି ହୋଇଥିବା ଆଇଟି ରେଡରେ ମିଳିଥିବା ବିପୁଳ ଟଙ୍କାର ହିସାବ ସରିନି । ମଦ ବ୍ଯବସାୟୀଙ୍କ ଦେଶୀ ମଦଭାଟିରୁ ମିଳିଥିବା ଟଙ୍କା ଗଣି ଗଣି ହାଲିଆ ହୋଇଛି ଆୟକର ବିଭାଗ । ସମ୍ବଲପୁରରେ ୩୨ ବ୍ୟାଗ ଟଙ୍କା ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ରହିଥିବାବେଳେ ତାହା ଗତକାଲି ଅଧା ଗଣା ହୋଇ ରହିଛି । ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀ ନିଅଣ୍ଟ ହୋଇଥିବାବେଳେ ପୁଣି ଟଙ୍କା ଗଣା ହେବ ଜଣାପଡିଛି । ତେବେ ପ୍ରକୃତରେ କେତେ ଟଙ୍କା ବାହାରିଛି ଓ କିଏ କିଏ ଅଟକ ଅଛନ୍ତିକି ସେନେଇ ଆୟକର ବିଭାଗ କୌଣସି ପ୍ରକାର ସୂଚନା ପ୍ରଦାନ କରି ନାହିଁ । ସୂଚନା ଥାଉକି, ଦୁଇଟି ଷ୍ଟିଲ୍ ଆଲ୍ମିରା ଫୁଲ୍ । ଉପରୁ ତଳ ଯାଏ ଖୁନ୍ଦା ହୋଇଛି ୫୦୦ ଟଙ୍କିଆ ବିଡ଼ା । ଆଖି ତରାଟି ଦେଲା ଭଳି । ବ୍ୟାଙ୍କ ଓ ଆଇଟି ଅଧିକାରୀ ଗଣି ଗଣି ହାଲିଆ । ଟଙ୍କା ଗଣା ମେସିନ୍ ବି ଗରମ ହୋଇ ଯାଉଛି । ଦେଢ଼ ଶହ କୋଟି ଗଣା ସରିଲାଣି । ୨୫୦ କୋଟି ଟପିଯିବ ବୋଲି ଅନୁମାନ କରୁଛନ୍ତି ଆଇଟି ଅଧିକାରୀମାନେ । ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ଓ ତାଙ୍କ ସହଯୋଗୀଙ୍କ ଘରେ ଆୟକର ବିଭାଗର ଚଢ଼ଉର ସ୍ଥିତି ଏୟା । ଗୁରୁବାର ଦ୍ୱିତୀୟ ଦିନ ବି ଚଢ଼ଉ ଜାରି ରହିଥିଲା । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ଓ ଭୁବନେଶ୍ୱର ସମେତ କୋଲକାତା ଓ ରାଞ୍ଚିର ୨୫ଟି ଆଡ୍ଡାରେ ଆୟକର ଯାଞ୍ଚ ଚାଲିଥିଲା । ଗତକାଲି ରାତି ସୁଦପଡ଼ା ଭାଟିରୁ ୨ଟି ଆଲମାରୀ ଭର୍ତ୍ତି ଟଙ୍କା ଜବତ ହୋଇଥିଲା । ଏତେ ଟଙ୍କା ଦେଖି ତାଜୁବ୍ ହୋଇଯାଇଥିଲା ଚଢ଼ଉ ଦଳ । ଗଣା ଆରମ୍ଭ ହୋଇଥିଲା । ଗୁରୁବାର ବି ଦିନ ତମାମ ଗଣା ଚାଲିଥିଲା । ସରି ପାରିଲା ନାହିଁ । ଅଧିକ ଟଙ୍କା ଗଣା ମେସିନ ମଗାଯାଇଛି ଏ କାମ ସାରିବାକୁ । ଯାଞ୍ଚ ବେଳେ ଧିରଜ ସାହୁଙ୍କ ରୋଜଗାର ଉତ୍ସ ଓ ଦେଣନେଣ ନେଟ୍ୱାର୍କ ସଂପର୍କରେ ଗୁରୁତ୍ୱପୂର୍ଣ କାଗଜପତ୍ର ଓ ପ୍ରମାଣ ସଂଗ୍ରହ କରିଛନ୍ତି ଆୟକର ଅଧିକାରୀମାନେ । ଛତିଶଗଡ଼ ନିର୍ବାଚନରେ ଅନେକ ନେତାଙ୍କ ପାଖକୁ ଏ ମଦ ଟଙ୍କା ଯାଇଥିବା ସୁରାକ ମଧ୍ୟ ମିଳିଛି । କେବଳ ସେତିକି ନୁହେଁ ୨୦୧୯ ଓଡ଼ିଶା ନିର୍ବାଚନରେ ମଧ୍ୟ ଏହି ସୂତ୍ରରୁ ପାଣ୍ଠି ସଂଗ୍ରହ ହୋଇଥିଲା । ବିଭିନ୍ନ ଦଳର ନେତା ଏଥିରୁ ଉପକୃତ ହୋଇଥିବା ସନ୍ଦେହ କରାଯାଉଛି । ଧିରଜଙ୍କୁ ପଚରାଉଚରା ବେଳେ ଏ ସଂପର୍କରେ ତଥ୍ୟ ପଦାକୁ ଆସିବ ବୋଲି ଜଣେ ଆୟକର ଅଧିକାରୀ କହିଛନ୍ତି । ଅନ୍ୟପଟେ ଏତେ ପରିମାଣର କଳାଧନ କେଉଁଠୁ ଆସିଲା ଏବଂ କେଉଁଠି ଖର୍ଚ୍ଚ ହୋଇଛି ସେ ନେଇ ଖୋଳତାଡ଼ କରିବାକୁ ‘ଇଡି’କୁ (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି । ଇଡି ନାମ ଶୁଣି ନେତାଏ ଛାନିଆ ହୋଇଯାଇଛନ୍ତି । ଆୟକର ଫାଙ୍କି ଅଭିଯାଗରେ ଗତକାଲି ସାଂସଦ ଶ୍ରୀ ସାହୁଙ୍କ ମଦ କାରଖାନା ସହ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଓ ରାଣୀସତୀ ଗ୍ରୁପ ଅଫ କମ୍ପାନୀ ଉପରେ ଉପରେ ପଞ୍ଝା ମାରିଥିଲା ଆୟକ ବିଭାଗ । ଓଡ଼ିଶା, କୋଲକତା, ଝାଡ଼ଖଣ୍ଡର ୨୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବଲାଙ୍ଗିରର ସୁଦପଡ଼ାଠାରେ ଥିବା ମଦ ଭାଟିରୁ ଦୁଇଟି ଆଲମାରୀ ଭର୍ତ୍ତି ଟଙ୍କା ମିଳିଥିଲା । ଆୟକର ବିଭାଗ ଉକ୍ତ ଟଙ୍କାକୁ ୧୫୬ଟି ବ୍ୟାଗ୍ ଓ କିଛି ବସ୍ତାରେ ଟ୍ରକ୍ରେ ଲୋଡ୍ କରି ବ୍ୟାଙ୍କକୁ ନେଇଥିଲା । ଗୁରୁବାର ସାଢ଼େ ୧୦ଟାରୁ ଆୟକର ବିଭାଗ ଓ ବ୍ୟାଙ୍କର ୩୦ ଜଣ କର୍ମଚାରୀମାନେ ଗଣିବା ଆରମ୍ଭ କରିଥିଲେ । ଏଥିପାଇଁ ୧୨ଟି ଛୋଟବଡ଼ ମେସିନକୁ ନିୟୋଜିତ କରାଯାଇଛି । ଜବତ ଟଙ୍କା ପରିମାଣ ଏତେ ରହିଛି ଯେ, ସେଗୁଡ଼ିକୁ ଗଣିବା ପାଇଁ ଆହୁରି ଚାରିଦିନ ଲାଗିଯିବ । ସେପଟେ ଆୟକର ବିଭାଗର ଆହୁରି ଦୁଇଟି ଟିମ୍ ସୁଦପଡ଼ା ମଦଭାଟିରେ ଏବେ ବି ଚଢ଼ଉ ଜାରି ରଖିଥିବା ବେଳେ ଗୋଟିଏ ଟିମ୍ କ୍ଲବପଡ଼ାସ୍ଥିତ ଅଫିସ ତଥା ବାସଭବନରେ ଯାଞ୍ଚ ଚଳାଇଛି । ସମାନଭାବରେ ଟିଟିଲାଗଡ଼ରେ ମଧ୍ୟ ୩ଟି ଟିମ୍ ସଞ୍ଜୟ ସାହୁ, ଦୀପକ ସାହୁ ଓ ଟିଟିଲାଗଡ଼ ମଦଭାଟିରେ ଯାଞ୍ଚ ଚଳାଇଛନ୍ତି । ଚଢ଼ଉର ଦ୍ୱିତୀୟ ଦିନରେ ଆଜି ଆୟକର ବିଭାଗର ଆଡିସନାଲ କମିଶନର(ତଦନ୍ତ) ଗୁରୁପ୍ରୀତ ସିଂହ ଓ ବିନୟ ଗୌତମ ପ୍ରଥମେ ବଲାଙ୍ଗିର ଆସି ସ୍ଥିତି ପରଖିବା ପରେ ଟିଟିଲାଗଡ଼ ଯାଇଥିବା ଜଣାପଡ଼ିଛି । ବ୍ୟାଙ୍କରେ ଶହଶହ କୋଟି ଟଙ୍କା ଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦୀପକ ଓ ସଞ୍ଜୟ ଫେରାର ହୋଇଯାଇଥିବା ଜଣାପଡିଛି ।





