ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୨ କ୍ୱିଣ୍ଟାଲ ଭାଙ୍ଗ ସମେତ ୩ କିଲୋ ଗଞ୍ଜେଇ ଓ ଚାଲାଣରେ ବ୍ୟବହୃତ ଓଡ଼ି ୦୨ସିବି୬୨୮୧ ନଂ ବିଶିଷ୍ଟ ପିକଅପ ଭ୍ୟାନକୁ ଜବତ କରିଛି।ଗିରଫ ଅଭିଯୁକ୍ତ ଦୁଇଜଣ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଦାମୀଗୁଡା ଗ୍ରାମର ଶ୍ୟାମସୁନ୍ଦର ନାଇକ (୩୫) ଓ ସୁଶୀଳ ଦେହୁରୀ (୨୩)।ସୂଚନା ଅନୁଯାୟୀ ସୋମବାର ସକାଳ ସମୟରେ ତପ୍ତପାଣି ଜଙ୍ଗଲ ମଧ୍ୟରୁ ଖୋର୍ଦ୍ଧା ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଏସଆଇ ଚକ୍ରଧର ସିଂ,ସ୍ୱାଗତ ଦାସ,ଏସଆଇ ମନୋଜ ପାତ୍ର ଓ ଟିମ ଭୁବନେଶ୍ବର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ ଓଡ଼ଗାଁ-ରଙ୍ଗଣୀପାଟଣା ରାସ୍ତା ହୋଣ୍ଡା ସୋ ରୁମ ନିକଟରେ ଚଢ଼ାଉ କରିଥିଲେ।ସେଠାରୁ ଦୁଇ ଅଭିଯୁକ୍ତଙ୍କ ସମେତ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ।ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାର ହୋଇଥିବାବେଳେ ଗଞ୍ଜେଇର ମୂଲ୍ୟ ୩୦ ହଜାର ବୋଲି ଜଣାପଡିଛି।ଏ ସଂକ୍ରାନ୍ତରେ ପୁଲିସ ୨୮୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି।





