ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଗଣ୍ଡଗୋଳ ପରେ ଛୁରାରେ ଆକ୍ରମଣ ହୋଇଛି । ଦିଗପହଣ୍ଡି- ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାର ବିଦ୍ୟୁତ୍ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଦୁଇ ଗାଁର ପୃଥକ୍ ଗୋଷ୍ଠୀର ୧୦ରୁ ଅଧିକ ଯୁବକ ନିକଟସ୍ଥ ନିଛାଟିଆ ଜାଗାରେ ଭୋଜିଭାତ କରୁଥିଲେ । ତେବେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ଓ ପରେ ଛୁରା ମାଡ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଦିଗପହଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ବାଇକ୍ ଛାଡି ଯୁବକମାନେ ଚମ୍ପଟ ମାରିଛନ୍ତି । ରାସ୍ତାକଡରେ ୪-୫ ବାଇକ୍ ଏଣେତେଣେ ପଡିଛି । ପୁଲିସ ଆହତମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରିଛି । ଗଣ୍ଡଗୋଳ ପରେ ଉକ୍ତ ସ୍ଥାନରେ ପୁଲିସ ବାଇକ୍ ଜବତ କରିବା ସହ ରାସ୍ତାରେ ଯାନବାହନ ଯାଞ୍ଚ କରୁଛି ।






