ପାରଳାଖେମୁଣ୍ଡି, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରାଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗର ବିଚାର ହେବ। ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ତାରିଖରେ ହାଜର ହେବାକୁ ସମନ କରାଯାଇଛି। ଅଭିରାମଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଅନ୍ୟାନ୍ୟ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ, ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ବିଚାରଯୋଗ୍ୟ। ଅଭିଯୋଗ ସଂପର୍କିତ ତଥ୍ୟ ରହିଛି। ତେଣୁ ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ସମନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅଭିରାମଙ୍କ ଓକିଲ ଅଶୋକ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ତେବେ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି। ଗତ ୨୦୨୧ ଜୁଲାଇ ୧୨ ତାରିଖରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ୧୩ ତାରିଖରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ସ୍ତ୍ରୀଙ୍କ ସହ ଥିବା ବେଳେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପାଡିଯାଇଥିବା ଡାକ୍ତର କହିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘରାଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଆକସ୍ମିକ ଘଟଣା ବୋଲି ତାଙ୍କ ପତ୍ନୀ ବିଦ୍ୟାଭାରତୀ କହୁଥିବା ବେଳେ ସୌମ୍ୟଙ୍କ ବାପା ଅଭିରାମ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଏବଂ ଏଥିପାଇଁ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଦାୟୀ ବୋଲି ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାସାଧିକ କାଳ ତଦନ୍ତ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସରକାର ଘଟଣାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥଲା। ଘଟଣାର ଏତେ ଦିନ ପରେ ପୁଣି ଥରେ ମାମଲାର ଶୁଣାଣି ହେବା ଜଣାପଡିବା ପରେ ସୌମ୍ୟଙ୍କ ପରିବାରର ନ୍ୟାୟ ପାଇଁ ଆଶା ବଢିଛି।





