ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ତୁମାଣ୍ଡି ଗାଁ ମୁଣ୍ଡ ଆମ୍ବତୋଟାରେ ଏକ ଆମ୍ବ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଦଶପଲ୍ଲା ଏନଏସି ଅନ୍ତର୍ଗତ ୨ନଂ ୱାର୍ଡ ନାହକପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ବେହେରାଙ୍କ ଝୁଲନ୍ତା ଶବ ବୋଲି ଜଣା ପଡିଛି । ସେ ଗତ ୪ ଦିନ ଧରି ତୁମାଣ୍ଡି ଗ୍ରାମରେ ରହୁଥିବା ତାଙ୍କ ଭାଇ ଘରକୁ ଯାଇଥିଲେ । ପରେ ରାତିରେ ତୁମାଣ୍ଡି ଗ୍ରାମରେ ହେଉଥିବା ମେରୁ ଯାତ୍ରା ଦେଖିବାକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ପରେ କୃଷ୍ଣଚନ୍ଦ୍ରଙ୍କୁ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ପାଇନଥିଲେ । ଆଜି ସକାଳେ କୃଷ୍ଣଙ୍କୁ ତୁମାଣ୍ଡି ଗାଁ ମୁଣ୍ଡ ଆମ୍ବତୋଟାରେ ଏକ ଅର୍ଦ୍ଧନିର୍ମିତ ଘର ପାଖରେ ଥିବା ଆମ୍ବ ଗଛରେ ଝୁଲୁଥିବା ଲୋକେ ଦେଖିଥିଲେ ।
ରାସ୍ତାରେ ଯାଉଥିବା କିଛି ଲୋକ ଏହା ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ । ଏହା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ଦଶପଲ୍ଲା ଥାନା ପକ୍ଷରୁ ତଦନ୍ତ କରାଯାଉଥିବା ସୁଚନା ଦେଇଛନ୍ତି ଦଶପଲ୍ଲା ଆଇଆଇସି ବସନ୍ତ କୁମାର ସାହୁ । ଦଶପଲ୍ଲା ପୁଲିସ ପକ୍ଷରୁ ୧୨/୨୦୨୩ ରେ ମାମଲା ରୁଜ କରାଯାଇ ତଦନ୍ତ କରାଯାଉଛି । ଆଜି ପୋଷ୍ଟମର୍ଟମ କଲାପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିବ । ଏହି ଘଟଣାକୁ ନେଇ ପରିବାର ଲୋକ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।





