ନୟାଗଡ଼, (ବାଘୁଆବାର୍ତ୍ତା): ଗତ କିଛି ଦିନ ହେଲା ମହିଳା ଡକାୟତି ଗ୍ୟାଙ୍ଗଙ୍କ ରାଜ ନୟାଗଡ଼ରେ ଦେଖିବାକୁ ମିଳିଲାଣି । ଜନ ଗହଳି ସ୍ଥାନ ଦେଖି ସେମାନେ ଲୁଟ ଉଦ୍ୟମ କରୁଛନ୍ତି । ବିଭିନ୍ନ ଛଦ୍ମ ବେଶରେ ରହି ଲୁଟର ତରିକା ଖୋଜୁଛନ୍ତି । ଯେଉଁଠାରେ ଯାନିଯାତ୍ରା ହେଉଛି ଭିଡର ସୁବିଧା ନେଇ ଲୁଟ କରୁଛନ୍ତି । ଏଥିପାଇଁ ସମସ୍ତେ ସାବଧାନ ହେବାର ଆବଶ୍ୟକତା ରହିଛି । ଗତକାଲି ଦଶପଲ୍ଲା ପୁଲିସ ୯ ଜଣ ମହିଳାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଦଶପଲ୍ଲା ଲଙ୍କା ପୋଡି ଯାତ୍ରାରେ ଜନ ଗହଳିର ସୁଯୋଗ ନେଇ ଲୁଟ ଉଦ୍ୟମ କରିଥିଲେ । ପୁରୀ ସମୁଦ୍ରକୂଳ ସାହି, ଜଟଣୀ ଓ ଭଦ୍ରକର ମହିଳା ମାନେ ଗତ କାଲି ଗିରଫ ହୋଇଥିଲେ । ଆଜି ଏହାର ଆଉ ଏକ ନମୁନା ଗଣିଆ ହାଟ ଅଞ୍ଚଳରେ ଦେଖିବାକୁ ମିଳିଛି । ସୁଚନାନୁସାରେ ଆଜି ଗଣିଆ ହାଟକୁ ଆସିଥିବା ଜଣେ ମହିଳାଙ୍କ ଠାରୁ ଟଙ୍କା ଲୁଟି କରି ଦୁଇ ମହିଳା ଗିରଫ ହୋଇଥିବା ଜଣାପଡିଛି । ଗିରଫ ମହିଳା ଦୁଇ ଜଣ ଭୁବନେଶ୍ୱର ରେଲୱେ ଷ୍ଟେସନ ଅଞ୍ଚଳର ପ୍ରିତି ଦେବୀ ଏବଂ ସୋନି ଦେବୀ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଆଇ ବିରେନ୍ଦ୍ର କୁମାର ଦେହୁରୀ ପ୍ରକାଶ କରିଛନ୍ତି । ଘଟଣାରୁ ଜଣା ପଡିଛି ଯେ ଢୋଲମରା ଗ୍ରାମର ମଞ୍ଜୁ ବେହେରା ଗଣିଆ ହାଟକୁ ଆସିଥିବା ବେଳେ ତାଙ୍କ ଠାରୁ ୬୫୦୦ ଟଙ୍କା ଲୁଟ କରିଥିଲେ ଉପରୋକ୍ତ ଦୁଇ ମହିଳା । ଲୁଟର ଶିକାର ହୋଇଥିବା ମହିଳା ଜଣକ ଏ ସମ୍ପର୍କରେ ଗଣିଆ ଥାନାରେ ଅଭିଯୋଗ କରିବା ପରେ ଗଣିଆ ଥାନା ଏସଆଇ ବିରେନ୍ଦ୍ର କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଇ ମହିଳାଙ୍କୁ ଗିରଫ କରି ତାଙ୍କ ଠାରୁ ଲୁଟ ଅର୍ଥ ଜବତ କରିଥିଲେ ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।





