ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗକୁ ବଡ଼ ସଫଳତା । ଜଣେ ବାଘ ଶିକାରୀକୁ ଗିରଫ କରିବା ସହ ତାଠାରୁ ବାଘ ଲୋମ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ବୌଦ୍ଧ ଜିଲ୍ଲାରୁ ଜଣେ ବାଘ ଶିକାରୀକୁ ଗିରଫ କରିବାରେ ସଫଳ ହୋଇଛି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବିଭାଗ । ବାଘ ଶିକାରୀ ଜଣଙ୍କ ହରଭଙ୍ଗା ବ୍ଲକ୍ ତଲଗାଁ ପଞ୍ଚାୟତ ବଡ ଖଜୁରୀ ଗ୍ରାମର ବିଶ୍ଵାମିତ୍ର ଜାନୀ । ବିଶ୍ଵାମିତ୍ରଙ୍କ ଘରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିବା ସହିତ ବାଘ ଲୋମ, କଟୁରୀ, ଭୁଜାଲି ଏବଂ ଟାଙ୍ଗିଆ ଆଦି ଜବତ ହୋଇଛି । ଗୋଟିଏ ବାଘକୁ ମାରିକି ପୋତିଥିବା ନେଇ ବନ୍ୟପ୍ରାଣୀ ବିଭାଗ ପାଖରେ ସୂଚନା ଥିବାବେଳେ ତାହାର ତଦନ୍ତ କରୁଥିବା ସମୟରେ ବାଘକୁ ମାରିକି ପୋତିଥିବା ସ୍ଥାନଟିକୁ ଶିକାରୀ ଜଣକ ଦେଖାଇଥିଲେ । ସେହି ସ୍ଥାନରେ ଖୋଳା ଖୋଳି କରିବା ବେଳେ ବାଘର ମୁଣ୍ଡ ହାଡ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗର ହାଡକୁ ମଧ୍ୟ ଜବତ କରିଛି ବିଭାଗ । ତେବେ ଗତ ମାର୍ଚ୍ଚ ୧୯ ତାରିଖରେ ସେହି ଅଞ୍ଚଳରୁ ଏସଟିଏଫ ଦ୍ଵାରା ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଏହି ଶିକାରୀ ଜଣକ ହିଁ ସେହି ବାଘ ଶିକାର କରିବା ସହିତ ହାଡ ସବୁକୁ ପୋତି ଦେଇଥିବା ସୂଚନା ମିଳିଛି । ତେବେ ନୟାଗଡ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ବିଭାଗ ଜଣେ ବାଘ ଛାଲ ବେପାରୀଙ୍କୁ ତଦନ୍ତ କରିବାକୁ ଆଣିଥିବା ବେଳେ ସେହି ବେପାରୀ ଜଣକ ଏହି ଶିକାରୀଙ୍କ ଠାରୁ ବାଘ ନଖ, ଲୋମ ଆଦି କିଣିଥିବା କହିଥିଲେ । ଏହା ଜାଣି ଉକ୍ତ ବେପାରୀଙ୍କୁ ନେଇ ବନ୍ୟପ୍ରାଣୀ ବିଭାଗ ବୌଦ୍ଧ ବନ ବିଭାଗର ସହାୟତାରେ ଶିକାରୀଙ୍କ ଘରେ ଚଢ଼ାଉ କରିଥିଲା ଏବଂ ସେଠାରୁ ବହୁ ଜିନିଷ ଜବତ କରିବା ସହିତ ଶିକାରୀଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି ।





