ଭାପୁର, (ବାଘୁଆବାର୍ତ୍ତା): ଫତେଗଡ ଥାନା ଅନ୍ତର୍ଗତ ଭାପୁର ବଜାର ସଦରମହକୁମା ପୁରୀ ଗ୍ରାମ୍ୟ ବ୍ୟାଙ୍କ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ। ହେଲେ ଲୁଟ୍ ଉଦ୍ୟମ ବିଫଳ ହୋଇଥିବା ବେଳେ ଜଣେ ଲୁଟେରାକୁ ପୋଲିସ କାବୁ କରିଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିବା ବେଳେ ଫତେଗଡ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୃଷ୍ଟିରେ ପଡ଼ିଥିଲା। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ସେଠାରୁ କୌଣସି ମତେ ଫେରାର ହୋଇ ଯାଇଥିଲେ। ଦୀର୍ଘ ବାଟ ପର୍ୟ୍ୟନ୍ତ ପୋଲିସ ସେମାନଙ୍କ ପିଛା କରି ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହେବାକୁ ସକ୍ଷମ ହୋଇଥିଲେ । କାରଣ ଭାପୁର ସାହି ଭିତରେ ଦଣ୍ଡ ମିଳନ ଉତ୍ସବ ଚାଲିଥିବା ସମୟରେ ଜନଗହଳି ରହିଥିଲା। ସେହି ଗହଳି ଭିତରେ ଲୁଟେରାମାନେ ପଶି ଯାଇଥିଲେ। ଜଣେ ଲୁଟେରାକୁ ଫତେଗଡ ପୋଲିସ କାବୁ କରି ଅଧିକ ତଦନ୍ତ ଚାଲୁ ରଖିଥିବା ଜଣାପଡିଛି । ଲୁଟେରା ଜଣକ ଫତେଗଡ ପଞ୍ଚାୟତ ପିଠାଖାଇ ଗ୍ରାମର ବୃନ୍ଦା ଲେଙ୍କା (୩୦ ବର୍ଷ) ବୋଲି ସୂଚନା ମିଳିଛି। ତେବେ ପ୍ରାଥମିକ ତଦନ୍ତରୁ ଏଟିଏମରୁ ଟଙ୍କା ନେଇପାରିନଥିବା ବ୍ୟାଙ୍କର କର୍ମଚାରୀ କହିଛନ୍ତି। ହାର୍ଡ ଡିକ୍ସ ଯାଞ୍ଚ୍ କଲାପରେ ଯାହା ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି। ଏହାକୁ ନେଇ ସକାଳୁ ସକାଳୁ ଭାପୁର ବଜାରରେ ଚାଞ୍ଚଲ୍ୟ ଖେଳି ଯାଇଛି।





