ସୋର, (ବାଘୁଆବାର୍ତ୍ତା): ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ରଖି ଧୋକା ଦେଲେ l ଆଦିବାସୀ ଝିଅ କହି ଦୂରେଇ ଦେଲେ l ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରିପଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରିପଡ଼ିଆ ଅଞ୍ଚଳର ଜଣେ ୨୩ ବର୍ଷ ବୟସ୍କ ଗରିବ ଘରର ଝିଅ ଦିନ ମଜୁରିଆ ଭାବେ କାମ କରନ୍ତି । ସେହି ଅଞ୍ଚଳର ଜଣେ ଯୁବକ ତାଙ୍କ ସାଙ୍ଗରେ କାମ କରିବାକୁ ଯାଆନ୍ତି । ଦୁହେଁ ଏକାଠି କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଯୁବକ ଜଣଙ୍କ ଆଦିବାସୀ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଯୁବତୀ ଜଣଙ୍କ ଯେତେବେଳେ ବିବାହ କରିବାକୁ କହିଥିଲେ ସେ ଘର ଲୋକଙ୍କୁ କହି ବିବାହ କରିବା ଆଉ ଟିକିଏ ଅପେକ୍ଷା କର ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାରମ୍ବାର ଏଭଳି ପ୍ରତିଶ୍ରୁତି ଶୁଣି ଶୁଣି ଶେଷରେ ଯେତେବେଳେ ଯୁବତୀ ଜଣଙ୍କ ଜିଦ ଧରିଥିଲେ ବିବାହ କରିବାକୁ ତ ସେତେବେଳେ ଯୁବକ ଜଣଙ୍କ ରୋକଠୋକ ମନା କରିଦେଲା ଯେ ତୁ ଜଣେ ଆଦିବାସୀ ଜାତିର ଝିଅ, ତୁ ଛୋଟ ଜାତିର ଝିଅ, ତୋତେ କିଏ ବାହା ହେବ । ମୋ ଘର ଲୋକ ତୋତେ ବୋହୂ ଭାବରେ ଗ୍ରହଣ କରିବେ ନାହିଁ । ତେଣୁ ତୋତେ ମୁଁ ବାହା ହୋଇପାରିବି ନାହିଁ । ଏ କଥା ଶୁଣିବା ପରେ ଗ୍ରାମବାସୀ ତଥା ଯୁବକଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ଯୁବତୀ ଜଣଙ୍କ ନ୍ୟାୟ ପାଇବା ପାଇଁ ସିମୁଳିଆ ଥାନାରେ ଆଶ୍ରୟ ନେଇଥିବା ବେଳେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।





