ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମ ପାଇକସାହିର ଦଣ୍ଡପାଣି ପ୍ରଧାନ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ବନ୍ଧା ହୋଇଛନ୍ତି । ଇଟାମାଟି ଫିଲ୍ମ ହଲ ଛକରୁ ପାଇକ ସାହିର ଦଣ୍ଡପାଣି ପ୍ରଧାନ (୩୦)କୁ ଗିରଫ କରିଛି ନୟାଗଡ଼ ଅବକାରୀ ମୋବାଇଲ ଟିମ । ଇଟାମାଟି ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବା ବିଶେଷ ସୂତ୍ରରୁ ଜଣାପଡିବା ପରେ ଅବକାରୀ ଏସ.ପି କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ମୋବାଇଲ ଟିମ ଆଜି ସକାଳୁ ଇଟାମାଟି ବିଭିନ୍ନ ସ୍ଥାନ ଉପରେ ନଜର ରଖିଥିଲା । ତେବେ ଇଟାମାଟି ଫିଲ୍ମ ହଲ ଛକ ଠାରେ ପାଇକସାହିର ଦଣ୍ଡପାଣି ପ୍ରଧାନ ବ୍ରାଉନ ସୁଗାର ଧରି ବ୍ୟବସାୟ କରୁଥିବା ବେଳେ ଅବକାରୀ ଇନ୍ସପେକ୍ଟର କାବୁ କରିଥିଲେ । ଦଣ୍ଡପାଣି ଠାରୁ ୪୭ ଗ୍ରାମର ବ୍ରାଉନ ସୁଗାର ଜବତ କରିବା କେସ ନମ୍ବର-୦୪/୨୦୨୩-୨୪ରେ ମାମଲା ରୁଜୁ କରି ଦଣ୍ଡପାଣିଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଥିବା ନେଇ ଏସ.ପି କରୁଣା ଶଙ୍କର ତିୱାରୀ ସୂଚନା ଦେଇଛନ୍ତି । ବ୍ରାଉନ ସୁଗାର ମୁଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଉକ୍ତ ଟିମରେ ଇନ୍ସପେକ୍ଟର ଭକ୍ତ ବତ୍ସଳ ବର୍ମା, ସବ ଇନ୍ସପେକ୍ଟର ଦୀପକ କୁମାର ଜେନା, ସବ ଇନ୍ସପେକ୍ଟର ଭବାନୀ ଶଙ୍କର ବେହେରା, ବିଦ୍ୟାଧର ପ୍ରଧାନ, ଦେବୀ ପ୍ରସାଦ ପାଣି, ପ୍ରଶାନ୍ତ କୁମାର ସେଠି, ପିୟୁସ ଦେହୁରୀ, ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।





